ବିଫଳ ଧୂମ
ବିଫଳ ଧୂମ
କବିତା - ବିଫଳ ଧୂମ
ରଚନା - ପଞ୍ଚାନନ ଜେନା
ତାରିଖ -୧୬-୦୨-୨୦୨୬
+++++++++++++++++
ପ୍ରେମୀ ଯୁଗଳବନ୍ଦୀଙ୍କୁ ଦେଖୁ ଦେଖୁ
ରେଳ ଷ୍ଟେସନରେ ଅବା ରେଳ ଡବାରେ
ପାର୍କ ବେଞ୍ଚରେ ଅବା ଫୁଲଗଛ କଡ଼ରେ
କଲେଜ କ୍ୟାମ୍ପସ୍ ଅବା ରେଷ୍ଟୋରାଣ୍ଟରେ
ପ୍ରେମ ଶବ୍ଦଟା ମଗଜକୁ ଚଢିଯାଏ
ଫେବୃୟାରୀ ମାସର ପ୍ରେମ ଋତୁଟା
ବେଶି ମଞ୍ଜୁଳ ଉଜ୍ଜଳ ସମୁଜ୍ଜଳ ଦିଶୁଥାଏ
ପ୍ରେମ ଭାବର ଜାଗର ଜାଗରଣ
ପ୍ରେମ ସମ୍ପର୍କରେ ଭାବୁ ଭାବୁ ଉଦ୍ଗୀରଣ
ପ୍ରେମ ମାମଲାରେ ଡୁବୁ ଡୁବୁ ସରଳିକରଣ
ବର୍ଷା ବୈଶାଖ ବସନ୍ତର ଆଗମନ
ଶୀତ ଶରତ ହେମନ୍ତର ପଳାୟନ
କୁତୁ କୁତୁ କରେଇ ଯାଏ ଭାବନା ବାଷ୍ପୀକରଣ
ଆଜି ଜୀବନ ଟପିଲାଣି ଅନେକ ବର୍ଷାଣୀ
ସମସ୍ତେ ପାଳୁଛନ୍ତି ଭାଲେଣ୍ଟାଇନ୍ ପର୍ବ ପର୍ବାଣୀ
ମୋତେ ଦିଶିଗଲା
ପ୍ରେମ ମାନେ
ମୋ ବୁଢୀମା'ର କଅଁଳ ଛୁଆଁ ପରି ନିସର୍ତ୍ତ
ମୋ ଆଈମା'ର ଶିରାଳ ହାତର ପରଶ ପରି ସ୍ନେହାର୍ତ୍ତ
ଭଲପାଇବାର କଥା ଶୁଣିଲେ ଅବା ପଢିଲେ
ପ୍ରେମୀ ଚଢ଼େଇ ଉଡିଗଲେ ଅବା ମରିଗଲେ
ପ୍ରଥମେ ମୋ ବୋଉ ଦିଶିଯାଏ
ସେହି ବାତ୍ସଲ୍ୟମୟୀ ଆଖିରେ ଛଳ ଛଳ
ସେହି ମମତାମୟୀ ଛୁଆଁରେ ଢ଼ଳ ଢ଼ଳ
ସେହି କରୁଣାମୟୀ ଗେଲରେ କଳ କଳ
ସେହି ଯଶୋଦାମୟୀ ବୋକରେ ପଳ ପଳ
ସେହି ନିସ୍ବାର୍ଥ ନିର୍ଭେଜାଲ ଭଲ ପାଇବା
କାହିଁ ଦିଶୁନି?
ଦେହ ଦେହଳୀର ଉର୍ଦ୍ଧ୍ବରେ ତ୍ୟାଗର ସ୍ଫୁରଣ
ସବୁ ଘୃଣାର ଉର୍ଦ୍ଧ୍ଵରେ ଭାବନାର ବିଛୁରଣ
ସବୁ ଅହଙ୍କାରର ପରାଜୟରେ କାମନା ବିକିରଣ
ସବୁ ହିଂସ୍ରତାର ମୁକ୍ତିରେ ମିତ୍ରତାର ଚାରା ରୋପଣ
କାହିଁ ହେଉନି?
ସବୁ ଯାତ୍ରାର ଦିଗନ୍ତ ବିସ୍ତାରୀ ସସ୍ମୋହନ
ସବୁ ସଞ୍ଚୟର ପ୍ରାସଙ୍ଗିକତାକୁ ଡେଇଁ
କ୍ରୀୟହୀନ
ମନ୍ତ୍ରହୀନ ଯନ୍ତ୍ରହୀନ ତଥ୍ୟହୀନ
ତତ୍ତ୍ୱହୀନ ସର୍ତ୍ତହୀନ
ତାତ୍ପଯ୍ୟହୀନ ଉତ୍ପୀଡ଼ନ
କାହିଁ ମିଳୁନି?
ବୋଧହୁଏ
ଏହି ଦିଶୁନି ହେଉନି ମିଳୁନି ଭିତରେ
ଦେଖେଇ ହେବା ହିଁ ଆଜିର ଭାଲେଣ୍ଟାଇନ ପ୍ରେମ
ମୋ ପାଇଁ
ମୋ ଜେଜେମା ମୋ ଆଈମା ମୋ ବୋଉର
ନୈସର୍ଗିକ ଭଲ ପାଇବା ଆଗରେ ବିଫଳ ଧୂମ |
