ବିନୟ ବଚନେ ବଇରୀ ବଶ
ବିନୟ ବଚନେ ବଇରୀ ବଶ
କୋମଳ ମଧୁର ବିନୟ ବଚନ
ଶୁଣି ଜନ ମନ ତୋଷ ।
କହିବା ଲୋକର ମନ ଶାନ୍ତ ରହେ
ଶୁଣିବା ଲୋକ ହରଷ ।୧।
ମନେ ଭାବ ଥରେ କଟୁ କଥା ଯଦି
ତୁମକୁ କହିଲା କିଏ ।
ଶୁଣିଲେ ସେ କଥା କିପରି ଲାଗିବ
ଯେତେ ଯାହା କହୁ ଯିଏ ।୨।
ତୁମେ ସେହିପରି କଟୁ କଥା ଯଦି
କହିବ ଆନ ଲୋକକୁ ।
ତୁମ କଥା ତାକୁ କିପରି ଲାଗିବ
ଆଣ ତା ନିଜ ମନକୁ ।୩।
ବଚନରେ ପରା ଅମୃତ ରହିଛି
ବଚନ ଆଣେ ମିତ୍ରତା ।
ସେଇ ବଚନରେ ରହିଛି ଗରଳ
ଅରଜି ଆଣେ ଶତ୍ରୁତା ।୪।
ଜନମରୁ କେହି ଜନମି ନଥାଏ
ଶତ୍ରୁ ଅବା ମିତ୍ର ହୋଇ ।
ବଚନରେ ଶତ୍ରୁ ମିତ୍ର ହୋଇଥାଏ
ମିତ୍ର ବି ଶତ୍ରୁ ହୁଅଇ ।୫।
ବଚନରେ କିଆଁ କାର୍ପଣ୍ୟ କରିବ
ଶତ୍ରୁ ହେଉ ଅବା ମିତ୍ର ।
ବଚନରୁ ସିନା ଜଣା ପଡିଥାଏ
ଲୋକଟି କେଡେ ମହତ ।୬।
ଉଚ୍ଚମନା ସିନା ଉଚ୍ଚ ଫଳ ଲଭେ
ନୀଚମନା ଲଭେ ବିଷ ।
ବିନୟ ବଚନ କହ ବାରମ୍ବାର
ବଇରୀ ହୋଇବେ ବଶ ।୭।
