ବିନମ୍ର ବିସ୍ତୃତି
ବିନମ୍ର ବିସ୍ତୃତି
ସମୟ-ପ୍ରବାହେ,
ପଥ-ପ୍ରାନ୍ତେ ସେହି ଧ୍ୟାନମଗ୍ନ ମହାଯୋଗୀ—
ନିର୍ଲିପ୍ତ ସେ କାଳର ଗତିରେ, ଭାବର ରାଇଜେ ଲିପ୍ତ,
ସମାହିତ ନିଜ ଚେତନାରେ ।
ନିବିଡ଼ ବନ୍ଧନେ ନିର୍ମଳ ସତ୍ତା, ନାହିଁ ଘୃଣା, ନାହିଁ ଦ୍ୱେଷ;
ଧ୍ୟାନଲୀନ ଶାନ୍ତ ଚିତ୍ତେ ସେ ଦେଖଇ ମଧୁମୟ ଚିତ୍ରିତ ବିଶ୍ୱ ।
ନଭଦେଶେ ଯା’ର ମହିମା ବିସ୍ତାର, ମୂଳରେ ଆତ୍ମ-ସନ୍ଧାନ;
ବେଦ–ବେଦାନ୍ତର ସାର ସୂକ୍ତି ମୋକ୍ଷ-ସୁଧାମୟ ଆଖ୍ୟାନ ।
ଆକାଶରେ ଲୀଳାୟିତ ବିସ୍ତୃତି ମାଟିର କୋମଳ କୋଳେ—
ହଜାଇ ଦେଇଛି ସ୍ୱୀୟ ସତ୍ତା ପରହିତ ଅନୁକୂଳେ ।
ଲମ୍ବିତ ଓହଳ ଜପାମାଳି ସମ ସଂଯୋଗୀ ଧ୍ୟାନସୂତ୍ର;
ମାଟିକୁ ଛୁଇଁ ସେ ଜପେ ନିରନ୍ତର ପୃଥିବୀ ପବିତ୍ର ମନ୍ତ୍ର ।
ସେ ଦେଖିଛି ଜନ୍ମ, ମୃତ୍ୟୁ, କାଳର କରାଳ ଖେଳ;
ପ୍ରପଞ୍ଚ ପୃଥିବୀର ଅନାସକ୍ତ ସତ୍ତା ସିଏ, ନୁହେ ସେତ ହୀନ ଗୀତିକାର ।
ନୀରବ ରହି ସେ ଶୁଣାଉଛି ସତେ ଅନହତ ବ୍ରହ୍ମଧ୍ୱନି;
ଝରାଇ ଦେଉଛି ସତେ ସିଏ ପ୍ରଶାନ୍ତିର ସ୍ନିଗ୍ଧ ସଂଜୀବନୀ ।
ହେ ମହାପାଦପ! ଆଜି ଦିଅ ମୋତେ ମୁକ୍ତିର ଗୂଢ଼ ଦୀକ୍ଷା—
ବିନମ୍ର ଭାବରେ ଉଚ୍ଚ ଅଭିଲାଷ ମଣିଷର ଶ୍ରେଷ୍ଠ ଶିକ୍ଷା ।
