ବିନ୍ଦୁରୁ ସିନ୍ଧୁ
ବିନ୍ଦୁରୁ ସିନ୍ଧୁ
ବିନ୍ଦୁରୁ ସିନ୍ଧୁ କରିବାକୁ ଲାଗେ
ଯୁଗ ଯୁଗର ନିରବିଚ୍ଛିନ୍ନ ସାଧନା,
ଦୁବରୁ ଦାରୁଟିଏ ହେବାକୁ
ଦରକାର ହୁଏ ଅକ୍ଳାନ୍ତ ଉଦ୍ୟମ
ଅସୀମ ଧୈର୍ଯ୍ୟ ନିଷ୍ଠାର ଆରାଧନା।
ଇଚ୍ଛାମତେ କାହାକୁ ମିଳେନା
ଐଶ୍ୱର୍ଯ୍ୟ ପ୍ରାର୍ଚୁର୍ଯ୍ୟ ଯଶ ଖ୍ୟାତି,
ଶ୍ରମ ଶକ୍ତିର ବିନିଯୋଗେ ପାଇ ପ୍ରତିଷ୍ଠା
ହୋଇ ଚାଲେ ତାର କ୍ରମାଗତ ଉନ୍ନତି।
ପ୍ରତିଟି ଜୀବନ ଗଠନର ଏ ମୂଳମନ୍ତ୍ର
ଦେଇଥାଏ ଅଶେଷ ପ୍ରେରଣା,
ଏକ ମହାନ୍ ଲକ୍ଷ୍ୟର ସୂକ୍ଷ୍ମ ଦୃଷ୍ଟିକୋଣ
ମାନସିକତାରେ ଆଣିଦିଏ ଦୃଢ ଧାରଣା।
ଚାରାଟିଏ ଉର୍ବର ମୃତ୍ତିକାରେ କରି ରୋପଣ
ଖୋଜିଲେ ତାର ଫୁଲ ଫଳ
ମିଳେନା କେବେ କାହାକୁ ଅକସ୍ମାତ୍,
କାର୍ଯ୍ୟ ଓ କାରଣର ଏ ଅପୂର୍ବ ସଂଯୋଗ
ପରସ୍ପର ମଧ୍ୟରେ ସୂଚାଇ ଦିଏ ତଫାତ୍।
ପ୍ରାକୃତିକ ନୀତି ନିୟମର ନିବନ୍ଧ
ଈଶ୍ଵରଙ୍କ ସୃଷ୍ଟିରେ ହୋଇଛି ସ୍ୱାକ୍ଷରିତ,
କେହି କେବେ କରି ତାର ଉଲଙ୍ଘନ
ନିଜସ୍ଵ ପ୍ରତିଭାକୁ କରି ପାରେନା ପ୍ରକାଶିତ।
ସ୍ଵଭାବ ପ୍ରବୃତ୍ତି ଅନୁଯାୟୀ ହୁଏ
ଏ ସଂସାରେ ତାର କ୍ରମବିକାଶ ବିଲୟ,
ଚିରନ୍ତନ ସତ୍ୟର ଏ ଆଧାର
ଅନୁଭବ କରିହୁଏ କଲେ ସ୍ଵଧ୍ୟାୟ।
ବିନ୍ଦୁ ମଧ୍ୟେ ଥିଲେ ବି ସିନ୍ଧୁର ସତ୍ତା
ପ୍ରଯୁକ୍ତି ପ୍ରୟୋଗ ବିନା ହୁଏ ନିରର୍ଥକ,
ଉଦ୍ୟମ ଅଧ୍ୟବସାୟ ବଳେ ହୋଇ ଫଳପ୍ରଦ
ଜୀବନର ମହତ୍ତ୍ଵକୁ କରେ ସାର୍ଥକ।
