ବିନ୍ଦୁ ରୁ ସିନ୍ଧୁ
ବିନ୍ଦୁ ରୁ ସିନ୍ଧୁ
ବିନ୍ଦୁ ଯେବେ ସିନ୍ଧୁ ଗର୍ଭେ ଯାଏ ମିଶି
ପୃଷ୍ଠ ଚାପ ନିଜ ଛାଡ଼ି,
ସିନ୍ଧୁ ଫୁଲି ଉଠେ ଆନନ୍ଦ ହିଲ୍ଲୋଳେ
ଅପତ୍ୟକୁ ଧରି ଭିଡ଼ି।
ସୂର୍ଯ୍ୟର ମୋହିନୀ ଆକର୍ଷଣେ ମଜ୍ଜି
ହଜିଥିଲା ଦୂର ନଭେ,
ବିଷାଦର ମେଘ ଘଟିଗଲା ଯେବେ
ବରଷିଲା ଅଶ୍ରୁ ଭାବେ।
ସ୍ୱାଧୀନତା ମୋହେ ଉଡିଯାଇଥିଲା
ବିନ୍ଦୁ ପରିଚୟ ନେଇ,
ସିନ୍ଧୁ ଯେ ନିଜର ନିତ୍ୟ ରୂପ ବୋଲି
ଭ୍ରମୁଥିଲା ଭୁଲିଯାଇ।
ଫେରିଆସି ଯେବେ ପୁଣି ସେଇ ବିନ୍ଦୁ
ମିଶିଲା ସିନ୍ଧୁର ଜଳେ,
ହେଲା ପ୍ରତିଭାତ ସେ ବିନ୍ଦୁ ସ୍ୱୟଂ ସିନ୍ଧୁ
ସ୍ୱରୂପ ଦର୍ଶନ କାଳେ।
