ବିନା ନିମନ୍ତ୍ରିତ ଅତିଥି
ବିନା ନିମନ୍ତ୍ରିତ ଅତିଥି
(ରମ୍ୟ ରଚନା)
ନିମନ୍ତ୍ରଣ କାର୍ଡ ପାଇଲେବି ଏବେ
ଗେଷ୍ଟ ଆସୁ ନାହାଁନ୍ତି,
ଏମିତି ବି କେତେ ଅଛନ୍ତି ଅତିଥି
ଜବରଦସ୍ତ ଆସୁଥାନ୍ତି।
ଧନ୍ୟ କହିବ ସେ ଅତିଥି ମାନଙ୍କୁ
ଧନ୍ୟ ତାଙ୍କ କରାମତି,
ପହଞ୍ଚି ଯାଆନ୍ତି ଜୁଲମ କରନ୍ତି
ମୁଣ୍ଡ ମୋର ବିଗାଡନ୍ତି।
ଲଗାଲଗ ଭାବେ ଅବାଧ୍ୟ ପ୍ରବେଶ
ମୋ ଘରେ ତାଙ୍କର ନିତି,
ବିନା କାରଣରେ ଝାମେଲା ପୁରାନ୍ତି
ସତେ କି ନକ୍ସଲପନ୍ଥି !
ଆପଣ ନିଶ୍ଚୟ ଭାବୁଥିବେ ପୁଣି
କିଏ ସେ ଏହି ଅତିଥି,
ବିନା ନିମନ୍ତ୍ରଣେ ଘରେ ଆସୁଛନ୍ତି
ଝାମେଲା କରନ୍ତି ନିତି।
ସେ ଅତିଥି ନାମ ଅଟଇ "ସମସ୍ୟା"
ଜଞ୍ଜାଳ ତା'ପ୍ରତିଶବ୍ଦ,
ଦୁଃଖ,କଷ୍ଟ ଆଉ ଯନ୍ତ୍ରଣା ତାହାର
ପ୍ରିୟଜନ ପରିଷଦ।
ଗୋଟିଏ ସମସ୍ଯା ତୁଟୁନାହିଁ ଯେଣୁ
ଅନ୍ଯ ସମସ୍ୟା ଗୁଡ଼ିକ,
ମୋ ଘର ଦୁଆରେ ହାଜର ହୁଅନ୍ତି
ଅଲାଜୁକ ଅବିବେକ।
ମୋ ଦାଣ୍ଡ ଦୁଆର କବାଟ ଫାଙ୍କରେ
ନେଫେଡେଇ ହେଉଥାନ୍ତି,
ମୁଁଯେତେ ବାଡେଇଛାଟେଇହେଲେବି
ମୋ କଥା କୋଉ ମାନନ୍ତି!
ଏକା ଏକା କେବେ ଆସନ୍ତିନି ପୁଣି
ସାଙ୍ଗେ ଭାଇ ବନ୍ଧୁ ଧରି,
ମୋ ମୁଣ୍ଡ ଉପରେ ସବାର ହୁଅନ୍ତି
ମୋ ମଥା ଯାଏ ବିଗିଡ଼ି।
ମୁଁ ଯେବେ କହୁଛି ହେ ସମସ୍ୟା ଭାଇ
ପରେ ତୁ ଆସିବୁ ଯା',
ସେ ମୋତେ କୁହନ୍ତି ଦୟାକରି ବାରେ
କରନା ଆମକୁ ନା।
କବାଟ ଠେଲି ମୋ ଘରେ ପ୍ରବେଶନ୍ତି
ଦେଖାଇ ସେ ବାହୁବଳ,
ଜବର ଦଖଲ କରନ୍ତି ମୋ ଘର
ହୋସ୍ ଉଡିଯାଏ ମୋର।
ଅମାନିଆ ହୋଇ ମାରଣା ଷଣ୍ଢଟି
ଲାଗେ ଯେହ୍ନେ ପଶିଆସେ,
ମୁହଁ ପୁରେଇ ମୋ ସୁଖ ଚରିଯାଇ
ବିକଟାଳ ହସ ହସେ।
ସମସ୍ଯା ଷଣ୍ଢଟି ଯେବେ ଘରେ ପଶେ
ଟଙ୍କାର ଅଭାବ ପଡ଼େ,
ରୋଗ ବ୍ଯାଧି ଶୋକ ଦୁର୍ଘଟଣା କଷ୍ଟ
ଆସେ ଠିକ୍ ସେତେବେଳେ।
ଶନିଶପ୍ତା ଦଶା ପଡ଼ିଯାଏ ମୋର
ଚାଲିଗଲେ ଝୁଣ୍ଟିପଡେ,
ଛୋଟିଆ ବଥଟି ମେଡିକାଲ ଟାଣେ
ପଇସା ମୋ ଖାଲି ଉଡ଼େ।
ଆଉ କାହା ପାଇଁ ଦଣ୍ଡ ମିଳୁଥାଇ
ଜୀବନ ଧିକ ଲାଗଇ,
କାଉ ଖାଇଯାଏ ପଣସଟି ବଗ
ମୁଣ୍ଡରେ ଅଠା ଲାଗଇ।
ଆଉ କାହା ଛୁଆ ବାପାର ବୋଝକୁ
ମୁଣ୍ଡେଇବାକୁ ବି ପଡ଼େ,
ଭାଗ୍ୟ ବିଡମ୍ବନା କାଳେ ବି ଚପଲ
ଟେପ୍ ବାରମ୍ବାର ଛିଡେ।
ଆଖିରୁ ମୋ ବହେ ଶ୍ରାବଣର ଧାର
ଛାତି ମୋର ଯାଏ ଫାଟି,
ସମସ୍ଯା ଘେରରେ ପଡ଼ି ଅଯଥାରେ
ହୁଏ ଯାହା ଖାଲି ଘାଣ୍ଟି।
କେତେ ମୁଁ ସହିବି କାହାକୁ କହିବି
କେ ହେବ ୟା ପାଇଁ ଦାୟୀ,
ସମସ୍ଯା କହୁଛି ପରିସ୍ଥିତି ଛଡ଼ା
ଆଉ କେହି ଦୋଷୀ ନାହିଁ।
ନ ଆସିଲେ ଏହି ସମସ୍ୟା ଜୀବନେ
କ'ଣ ଏଠି ଚଳନ୍ତାନି,
ସମସ୍ୟା କହୁଛି ମୁଁ ଆସୁଛି ଖାଲି
ଦେବାପାଇଁ ଚେତାବନୀ।
ଭୁଲ୍ ପାଇଁ ଦଣ୍ଡ ଶିକ୍ଷା ପାଇଁ ବେତ
ବାଡ଼ି ଏ "ସମସ୍ୟା" ଅଟେ,
ସମସ୍ୟାର ଝଡ ବହିଲେ ଜୀବନ
ଗାଡି ଚାଲେ ଠିକ୍ ବାଟେ।
ସମସ୍ୟାର ମାନେ ଜୀବନ ଅଟଇ
ସଙ୍ଗ୍ରାମ କରିବା ଭଲ,
ବିନା ସଂଘର୍ଷ ଓ ସଙ୍ଗ୍ରାମରେ ଯେଣୁ
ନାହିଁ ଜୀବନର ମୂଲ।
ଯଦିଓ ମଣିଷ ଡରୁନି କାହାକୁ
ସମସ୍ୟାକୁ କିନ୍ତୁ ଡରେ,
ସମସ୍ୟା ଘେରରେ ଛଟପଟ ହୋଇ
ନିଜ ସୁଖଶାନ୍ତି ହାରେ।
ସମସ୍ୟା ରହିଛି ସମାଧାନ ଅଛି
ଏ କଥା କିଏ ଫାଙ୍କିଛି,
ଧୈର୍ଯ୍ୟ ଚାବିକାଠି ସମସ୍ୟା ତାଲାକୁ
ନିଶ୍ଚୟ ଖୋଲି ପାରିଛି।
ଦୁବଘାସ ତୁଲ ମଥାପାତି ଦିଅ
ସମସ୍ୟାଟି ବହିଯାଉ,
ସବୁ ସମସ୍ୟାର ସମାଧାନ ନିଶ୍ଚେ
କରିଦେବେ ମହାବାହୁ।
