ବିଲୟର ମହାନାଟକ
ବିଲୟର ମହାନାଟକ
କାଳ ବଜାଉଛି ବିଲୟ ଖଞ୍ଜଣି
ଦଦରା ହେଲାଣି ନାଆ,
ଅଦିନର ଝଡି ଦେଉଅଛି ରଡି
ବହେ ଅଣଚାଷ ବାଆ ॥
କାଳ ଅର୍ଗଳିରେ ବିଲୟ ଭଉଁରୀ
ସଜାଇଛି ନାଗଫାଶ,
ଜୀବନ ଯୁଦ୍ଧରେ ଗଡେ କଟାମୁଣ୍ତ
ସମାଜ ହୁଏ ବିବଶ ॥
ଅଶାନ୍ତ ସାଗର ପ୍ରଶାନ୍ତ ଚିତ୍ତରେ
ରଚେ ପ୍ରଳୟର ଲୀଳା,
କେଉଁ ରୂପ ଧରି ସାଜଇ ବଇରୀ
କଳି ଅନ୍ତେ କରି ଖେଳା ॥
ମଣିଷ ପିଅଇ ମଣିଷ ରକତ
ସାଜିଛି ନର ପିଶାଚ,
କାମିନୀ କାଞ୍ଚନ କରଇ ଦହନ
ଆତ୍ମା ମାଗୁଅଛି ଲାଞ୍ଚ ॥
ଖାଦ୍ୟ ଶୃ
ଙ୍ଖଳରେ ହୁଏ ଭୂମିକମ୍ପ
କିଏ କାହାର ଆହାର,
ଅଜଣା ରୋଗରେ ପିଣ୍ତ ଉଡୁଅଛି
ଦଇବ ଦିଏ ପ୍ରହାର ॥
ଅଶାନ୍ତ ପ୍ରାଣରେ ମୃତ୍ୟୁ ଶଂଖନାଦ
ଭୈରବ ଦେଲାଣି ରଡି,
ଦେବାଳୟେ ଶୁଭେ ମଉନ ଆସର
ଅଚଳ ସମୟ ଘଡି ॥
ସାନ ବଡ କିଛି ନାହିଁ ଭେଦଭାବ
ଅହଂ କରୁଅଛି ଖେଳ,
ଜାତି ଗୋତ୍ର ଲୁଚେ ପଥର ପାହାଚେ
ପ୍ରଳୟରେ କଳିକାଳ ॥
ପିତୃ ପୁରୁଷଙ୍କ ଶ୍ରାଦ୍ଧ ବୁଡିଲାଣି
ପାଶ୍ଚାତ୍ୟ ଆମ ସଂସ୍କୃତି,
ପଞ୍ଚ ଯଜ୍ଞ ଆଜି ହୁଏ ଛାରଖାର
ଭାଳିଲେ ଲାଗଇ ଭୀତି ॥