STORYMIRROR

Alaka Nanda

Inspirational

4  

Alaka Nanda

Inspirational

ବିଜୟୀ ସମ୍ରାଟ

ବିଜୟୀ ସମ୍ରାଟ

2 mins
287

ଇତିହାସ ର ସେ ଅଭୁଲା କାହାଣୀ ମନେ ରଖି କି କେହି

ସବୁରି ହୃଦୟେ ଛପି ଯାଇ ଥିଲା ରକ୍ତେ ଲେଖା ସେ ବହି।


ଖେଳି ଯାଇ ଥିଲା ହାହାକାର ସେଠି ଭୟାନକ ଯୁଦ୍ଧ ପରେ,

ଶହଶହ ବୀର ଶିଷ ଟଳିଥିଲା କଳିଙ୍ଗ ଛାତି ଉପରେ।


ଦୟାନଦୀ ବୁକେ ପାଣିର ବଦଳେ ବହିଲା ରକତ ଧାର,

ସେ ରକତ ଧାରେ କେତେ ବହିଗଲେ ଓଡିଆ ବୀର କୁଅଁର।


ଫୁଲି ଉଠୁଥିଲା ଛାତି ତା ଗର୍ବେ ଜିଣିଛି ଆଜି ସେ ଗଡ

ମଗଧର ରାଜା ସମ୍ରାଟ ଅଶୋକ କେହି ନାହିଁ ସରି ତାର।


ଚଉଦିଗୁ ଭାଷି ଆସୁଥିଲା ଖାଲି କରୁଣ ରୋଦନ ସୁର,

ସ୍ୱଜନ ବିୟୋଗେ ଛାତି ପିଟୁ ଥିଲେ ଶହଶହ ପରିବାର।


ଲଇଁ ଲଇଁ ଆସି ବୁଢୀ ମା ଟିଏ,ହାତ ରେ ସାହାରା ବାଡି,

ଏଣେତେଣେ ଚାହିଁ ଖୋଜି ବୁଲୁଥିଲା ପୁଅ କାହିଁ ଗଲା ବୋଲି ।


ଦେଖିଲା ବୁଢୀ ଟି ଶୋଇଚି ତା ପୁଅ ରକତ ଶେଯ ଉପରେ,

ଲଢିଲଢି ଶେଷେ ଦେଇଚି ଜୀବନ ବଳି ଏ ରଣ ଭୂଇଁ ରେ ।


ପୁଅ ପାଖେ ଆସି ଛାତି ପିଟିପିଟି କାନ୍ଦୁଥିଲା ମା ତାର,

ବୁଢୀ କାନ୍ଦ ଦେଖି ପାଶେ ଠିଆହେଲେ ମହାରାଜା ମଗଧର।


ପଚାରିଲେ " ମା କାନ୍ଦୁଛୁ କାହିଁକି କହ ମତେ ମନ ଖୋଲି,

ଯାହା ତୁ ମାଗିବୁ ସବୁ ଆଣିଦେବି ଦେବି ତୋ ପାଦ ରେ ଢାଳି"।


ଲୁହ ପୋଛି ଦେଇ ପଣତ କାନି ରେ ଚାହିଁଲା ରାଜାଙ୍କ ଆଡେ

ସତେ ଅବା ତାର ଚାହାଁଣି ବିନ୍ଧିଲା ରାଜାଙ୍କ ଛାତି ଭିତରେ।


କହିଲେ ରାଜନ "କହ ମା,ଯାହା ଦରକାର ତୋର,

ସୁନା ରୂପା ଆଉ ମଣି ମାଣିକ୍ଯ ଭରି ଦେବି ତୋର ଘର"।


ରଜା ଆଡେ ଚାହିଁ କହିଲା ବୁଢୀମା"ତୁ ଅବା କି ଧନ ଦବୁ

ମୋ ଜୀବନ ଧନ ଶୋଇଚି ଏଇଠି ,ତାକୁ କି ଫେରାଇ ଦବୁ ।


ଏକୋଇର ବଳା ବିଶିକେଶନ ମୋ ମରଣ କୁ ନେଲା ବରି,

ଦେଶ ପାଇଁ ଦେଲା ଜୀବନ ତାହାର ଶେଷ ଯାଏଁ ଲଢିଲଢି।


କେତେ ବଧୂ ଙ୍କର ସିନ୍ଦୁର ପୋଛିଲୁ କେତେ କୋଳ ଖାଲି କଲୁ,

କେତେ ବାଳୁତ ଙ୍କୁ ଅନାଥ କରି ତୁ କହ କି ଲାଭ ପାଇଲୁ ।


ତୁ ସିନା ବୋଲାଉ ବିଜୟୀ ସମ୍ରାଟ ନେଇ ଅଗଣିତ ପ୍ରାଣ,

ଅଛି କି ଶକତି ତୋ ହାତେ ଦେବାକୁ ଏ ମାନଙ୍କୁ ଜୀବ ଦାନ ।


ନିରୀହ ପ୍ରାଣ କୁ ନବା ପାଇଁ ତତେ କିଏ ଦେଲା ଅଧୀକାର

କ୍ଷତ ବିକ୍ଷତ ମା ର ବକ୍ଷରେ ଶୋଇ ଶତଶତ ବୀର।


କଳିଙ୍ଗ ମାଟି କୁ ଜୟ କରିବାକୁ ଲୋଟିଲେ ବୀର ରକ୍ତ ରେ,

ନେଲୁ ଲକ୍ଷଲକ୍ଷ ପ୍ରାଣ ତୁ ପାଷାଣ ଦୟା ନାହିଁ ତୋ ମନରେ ।


ଖେଳି ଲୁ ରକତ ହୋଲି ନିଜ ହାତେ ପାଇଲୁ ତୁ କି ସୁଖ

କି ଯଶ ପାଇଲୁ କରି ଛାରଖାର ଉତ୍କଳ ମା ର ବକ୍ଷ ।


ରଣ କରି କିଏ ଜିତେ କି ଜୀବନେ କାଟି ଶତଶତ ଶିର

ମନ ଜୟ କରି ଜିତେ ଯିଏ ରଣ ସେଇ ହି ଅସଲ ବୀର।


ବିଜୟୀ ହୋଇନୁ ମଗଧ ରାଜା ତୁ ହାରିଚୁ ଜୀବନେ ତୋର,

ଜିତିଛନ୍ତି ଏଇ ରକତ ନଦୀ ରେ ଶୋଇ ଛନ୍ତି ଯେତେ ବୀର ।


ବୁଢୀ କଥା ଶୁଣି ଭାବିଲେ ସମ୍ରାଟ କହୁଚି ତ ସତ ବୁଢୀ,

ରକତ ର ନଦୀ ବୁହାଇ ଏଠି ମୁଁ ସତେ କି ଯାଇଛି ହାରି ।


କେତେ ପରିବାର ଦେଲି ମୁଁ ଉଜାଡି କରି ଦେଲି ଛାରଖାର

ସତେ ଦୟା ନଦୀ କାନ୍ଦେ କଇଁ କଇଁ ଦେଖି ଏଇ ହାହାକାର।


ମୁକୁଟ କୁ କାଢି ଥୋଇ ଦେଲେ ରାଜା ବୁଢୀ ମା ର ପାଦ ତଳେ,

ଆଖି ର ଲୁହ କୁ ଆଖି ରେ ପୁରାଇ ସମ୍ରାଟ ଯେ ଫେରି ଗଲେ।


ଛାଡି ଦେଲେ ରାଜା ମଗଧର ଗାଦି ନେଲେ ସେ ବୁଦ୍ଧଙ୍କ ଶରଣ,

ଚଣ୍ଡାଶୋକ ରୁ ଧର୍ମାଶୋକ ହେଇ କଲେ ଶାନ୍ତି ବିତରଣ।


ଗାଇଲେ ସମ୍ରାଟ ଘର ଘର ଯାଇ ବୁଦ୍ଧଂ ଶରଣମ୍ ଗଚ୍ଛାମି,

ଧର୍ମମ୍ ଶରଣମ୍ ଗଚ୍ଛାମି,ସଂଘମ୍ ଶରଣମ୍ ଗଚ୍ଛାମି।


Rate this content
Log in

Similar oriya poem from Inspirational