ବୀର ପାଇକ
ବୀର ପାଇକ
ଏକ ହାତେ ଢାଲ ଆର ହାତେ ଖଣ୍ଡା
ମସ୍ତକରେ ବଜ୍ର ଯାର
ବାଘମର୍ଗଆ ହାଣ୍ଡିଆ ପରେ ଶୋହେ
ସେହିଟି ପାଇକ ବୀର ।
ଏକ କାନ୍ଧେ କପ ଢେଣୁର ସହିତ
ଆନ କାନ୍ଧେ ଧନୁଶର
ଛାତିରେ ତା ପଟି ହୋଇଥାଏ ବନ୍ଧା
ଖୋସା କଟାରି ତହିଁର।
ବାହୁରେ ବାହୁଟି କବଚ କଲିଙ୍ଗି
ହୋତା ବାହାତା ଶୋଭନ
ଅଣ୍ଟାର ପେଟିରେ କାନ୍ଧ କପ ଖୋସା
ହୋଇ ଦିଶେ ଶୋଭମାନ ।
ସିଙ୍ଗଡା ବାଙ୍କଛୁରୀ ଶିଙ୍ଗା ଅଣ୍ଟାରେ
ଝୁଲୁଥାଏ ସଦାବେଳେ
ଅଣ୍ଟାରୁ ଆଣ୍ଠୁଯାଏ ଥାଏ ପୋଷାକ
ଝୁଲୁଥାଏ ରୁଢ଼ିମାଳେ ।
ଅଣ୍ଟାର ତଳକୁ କଟି ଢାଲ ରଞ୍ଜକ
ପେଟି ବନ୍ଧା ତା ତଳେ
ଏକ କାନିପରି ଦିଶେ ଓଜମାଳ
ଗଣ୍ଠିଆ ପଛକୁ ଝୁଲେ ।
ଗୋଡରେ ମୋଜା ଯୋତା ପିନ୍ଧି ପାଇକ
ଚାଲେ ବୀର ଦରପରେ
ଇଟାକାର ଫଡ଼ିକାର ଧନୁକୀ ଏ
ପାଇକ ତିନି ପ୍ରକାରେ ।
ଦଳ କୁହାଯାଏ ଏକତ୍ର ପାଇକ
ସତେଇଶି ଜଣ ହେଲେ
ସତୁରୀ ଜଣ ପାଇକଙ୍କ ଦଳକୁ
ଭୂୟାଁ ବୋଲି କହୁଥିଲେ ।
ଯୁଦ୍ଧ ସମୟରେ ସୈନିକ ଭୂମିକା
ପାଇକ ନିଭାଇ ଥାଏ
ପ୍ରତାପରୁଦ୍ରଦେବଙ୍କ ରାଜଧାନୀ
କଟକରେ ରହିଥାଏ ।
ପାଇକ ନିଯୁକ୍ତ ହେଲେ ଦାକ୍ଷିଣାତ୍ୟ
ରାଜ୍ୟ ଜୟ କରିବାରେ
ଏ ବୀର ପାଇକ ଖୋର୍ଦ୍ଧା ମୂଲକର
ଭିନ୍ନ ଭିନ୍ନ ପେଶାଦାରେ ।
ଦଳ ସହ ଅଣ ସେନାନୀ ପାଇକ
ଯୁଦ୍ଧ କ୍ଷେତ୍ରେ ଗମୁଥିଲେ
କ୍ଷତାକ୍ତ ସେନାନୀଙ୍କ ସେବା ଯତନ
ସେହିମାନେ ନେଉଥିଲେ ।
ପାଇକ ଦଳପତି ବାହିନୀପତି
ଅଥବା ପାଇକରାୟ
ଦଳବେହେରା ବୋଲାଯାଏ ପାଇକ
ମୁଖିଆଙ୍କୁ ଏ ନିଶ୍ଚୟ ।
ନାୟକ ବା ଗଡ଼ନାୟକ ଗଡ଼ର
ମୁଖିଆଙ୍କୁ କୁହାଯାଏ
ବାହୁବଳେନ୍ଦ୍ର ଯେ ମୁଖିଆ ଅଟନ୍ତି
ଅଣ-ସେନାନୀର ସିଏ ।
ଗଡଜାତରେ ପାଇକ ବୀର ଥିଲେ
ଦେଶ ସ୍ବାଧୀନତା ପାଇଁ
ପ୍ରଥମ ସଂଗ୍ରାମ କରିଲେ ଏମାନେ
ବୀରତ୍ବ ତୁଳନା ନାହିଁ ।
ପାଇକ ବୀରଙ୍କ ଦେଶମାତୃକାର
ପ୍ରେମ ମନେ ଆସେ ମୋର
ଭକତି ଭାବରେ ତଲ୍ଲୀନ ହୁଏ ମୁଁ
ମଥାନତ ହୁଏ ମୋର ।