ବିଧିର ବିଧାନ କେ କରିବ ଆନ
ବିଧିର ବିଧାନ କେ କରିବ ଆନ
ବିଧିର ବିଧାନ ଏ ଆପ୍ତ ବଚନ
ଜୀବନରେ ଘଟୁ ଅଛି
ବିଧିର ବିଧାନେ ରାଜା ହୁଏ ରଙ୍କ
ଭିକ୍ଷୁ ମୁଣ୍ଡେ ପାଟ ଛତି ।
ବିଧିର ବିଧାନେ ରାଜା ରାମଚନ୍ଦ୍ର
କରନ୍ତି ବନ ଗମନ
ବିଧିର ବିଧାନେ କୈକେୟୀଙ୍କ ସ୍ନେହ
ଈର୍ଷାରେ ହୁଏ ଦହନ ।
ବିଧିର ବିଧାନେ ସତୀ ସୀତା ଭୋଗେ
ପତି ବୀରହର ଜ୍ଵାଳା
ଅଶୋକ ବନରେ ତ୍ରିଜଟା ମିଳନ୍ତି
ବୁହାନ୍ତି ସ୍ନେହର ଧାରା ।
ବିଧିର ବିଧାନେ ନଳରାଜା ଦିନେ
କାଟନ୍ତି ଘୋଡାର ଘାସ
ବିଧିର ବିଧାନ ପଞ୍ଚୁପାଣ୍ଡବଙ୍କୁ
ମିଳେନି ସ୍ୱ ଅଧିକାର ।
ବିଧିର ବିଧାନେ ପାଞ୍ଚାଳୀ ଲାଞ୍ଛିତ
ଥାଇ ବୀର ପଞ୍ଚପତି
ବିଧିର ବିଧାନେ ଭୀଷ୍ମ ପିତା ମହ
ଚୁପ୍ ହୋଇ ରହିଯାନ୍ତି ।
ବିଧିର ବିଧାନେ ଦେବକୀ ମାତା ଯେ
ବନ୍ଦୀ ଜୀବନ ବିତାନ୍ତି
ବିଧିର ବିଧାନେ ପୁତ୍ର କୁ ନିଜର
ସ୍ନେହ ଦେଇ ନ ପାରନ୍ତି ।
ବିଧିର ବିଧାନେ ବାତ୍ସଲ୍ୟ ରସରେ
ଯଶୋଦା ମାତା ଭିଜନ୍ତି
ଗୋପୀ ଗୋପାଙ୍ଗନା ଶାଶ୍ଚିତ ପ୍ରେମର
ପରଶ ଯେ ପାଇଛନ୍ତି ।
ବିଧିର ବିଧାନେ କହ୍ନେଇ ଛାଡଇ
ତାର ପ୍ରିୟ ଗୋପପୁର
ଧର୍ମର ପ୍ରତିଷ୍ଠା କରିବା ପାଇଁ କି
ସହନ୍ତି କେତେ କଷଣ ।
ବିଧିର ବିଧାନେ ଗୋବିନ୍ଦ ଙ୍କ ମୃତ୍ୟୁ
ଶିଆଳି ଲତାର ତଳେ
ଜାଣି ନଥିଲା ତ ଜାରା ଶବର ତ
ଗୋବିନ୍ଦ ମୃତ୍ୟୁ ତା ହାତେ ।
ବିଧିର ବିଧାନେ ସୃଷ୍ଟି ବି ହୁଅଇ
ଧ୍ୱଂସ ଲୀଳା ବି ହୁଅଇ
ବିଧିର ବିଧାନ ଜନ୍ମ ହେଲେ ମୃତ୍ୟୁ
କିଏ ବା ଟାଳି ପାରଇ ।
ବିଧିର ବିଧାନେ ମୃତ୍ୟୁ ତ ଆସଇ
କାହାକୁ ନଥାଏ ଜଣା
କେତେ ବେଳେ କାହା ଡାକରା ଆସିବ
ବିଧିର ବିଧାନ ସିନା ।
ହେଲେ ,
ବିଧିର ବିଧାନ ଆପ୍ତ ବାକ୍ୟ ମାନି
କର୍ମ ମର୍ମ ଛାଡି ବାନି
କରମ ରଚଇ ପ୍ରାରବ୍ଧ ଜୀବର
ଏ କଥା ଭୁଲିବା ନାହିଁ ।
ବିଧିର ବିଧାନ ଘଟିବ ନିଶ୍ଚୟ
ସ୍ଵୀକାର ତାକୁ କରିବା
ନିଷ୍କାମ କର୍ମର ଅପୂର୍ବ ଝଙ୍କାର
ମନେ ଯେ ତୋଳି ଧରିବା ।
ବିଧିର ବିଧାନ ଦେବତା ଠୁ ନର
ସମସ୍ତଙ୍କ ପାଇଁ ଅଛି
ହେଲେ କର୍ମ ପଥୁ ବିଚ୍ୟୁତ ହେବାଟା
ବିଧାନ ଯେ ନ କହିଛି ।
ପୁରୁବ ଜନ୍ମର ପ୍ରାରବ୍ଧର ଭୋଗ
ସହାସ୍ୟ ମୁଖେ କରିବା
ଏଇ ଜନମରେ ଭଲ କର୍ମ କରି
ଭବିଷ୍ୟ ନିର୍ମାଣି ଦେବା ।
ବିଧିର ବିଧାନ ଶ୍ରୀ ମଧୁସୂଦନ
କର୍ମୁ ବିରତ ନୁହନ୍ତି
ଶ୍ରୀରାମ ଚନ୍ଦ୍ର ଯେ କର୍ମରେ କର୍ମରେ
ମର୍ଯ୍ୟାଦାର ପାତ୍ର ହୋନ୍ତି ।
ଜନକ ନଳିନୀ ସତୀ ପାଞ୍ଚାଳୀ ଯେ
ଧରମ ଛାଡି ନାହାନ୍ତି
ସହାସ୍ୟ ବଦନେ ବିଧି ବିଧାନକୁ
ସ୍ଵୀକାର କରି ଅଛନ୍ତି ।
ତେଣୁ,
ବିଧି ବିଧାନକୁ ସହାସ୍ୟ ବଦନେ
ସ୍ୱୀକାରିବା ସତ୍ ସାହସେ
କର୍ମ ଧର୍ମ ପଥ ଭୁଲିବାନି କେବେ
ଏହା ଆମ ଗୀତା କୁହେ ।