ବିଛୁଆତି ବାଇଡ଼ଙ୍କ ବସିଥିଲେ ମିତ
ବିଛୁଆତି ବାଇଡ଼ଙ୍କ ବସିଥିଲେ ମିତ
ବିଛୁଆତି ବାଇଡ଼ଙ୍କ ବସିଥିଲେ ମିତ
କେହିହେଲେ କାହାରିକୁ ଭୁଲିବେନି ସତ !
ପର ଗୋଇ ଖୋଳୁଥିବେ ଖୋଲାଖୋଲି ଭାବେ
ଦବିଯିବା ନଜରକୁ ଆସିବେନି କେବେ ।
ଯେତେ ନିନ୍ଦା ମିଛ ଧନ୍ଦା ସବୁ ଯୋଡ଼ି ଯାଡ଼ି
ପର ଆଖି ଲୁହ ବୁହା, ଦେଖାଇବେ ଆଡ଼ି ।
ସଜ ମାଛେ ପୋକ ପକା ଅଭିଯାନ ଚାଳି
ମନ ଇଛା ମାରୁଥିବେ ଖୁସି ମନେ ତାଳି ।
କୁରୁ କୁରୁ ହସୁଥିବେ ନଖ ଘଷା ଘଷି
ଋଷି ପଛେ ଜଟା ଛିଡୁ ଦୁଃଖେ ଯାଉ ଭାସି ।
ନାଚୁଥିବେ ଥେଇ ଥେଇ ସୋମରସ ପାନେ
ଛକା ଛକି ହାଲ୍ଲା ପାଲା ଅବିବେକୀ ଗାନେ ।
ଛାୟା ମାୟା ଖେଳ ଖେଳି ଇଜ୍ଜତକୁ ସାରି
ପଣସକୁ ନିଜେ ଖାଇ ଅଠା ଦେବେ ମାରି ।
ଖାତା ନାହିଁ ପତ୍ତା ନାହିଁ ହେବେ ଠକ ଉଚ୍ଚ
ଯୋଖା ଯୋଖି ବଡ଼ କବି ଆଉ ଯେତେ ନୀଚ୍ଚ ।
ଗୁଣ ପାଇଁ ପୂଜା ନାହିଁ ଧରା ଧରି ଯୁଗ
ରୂପ ପଛେ ଛେପ ପଡୁ ସେଇ ସିନା ବାଗ ।
ସବୁ ଭଲା ଦେଖୁଥିବେ ପାରିବେନି ରୋକି
କାଳେ କିଏ ଦେଇଦେବ ନନ୍ଦ ଛନ୍ଦ ବେକି ।
ସମୟଟା ବଳବାନ ସହେନାହିଁ ମନ୍ଦ
ଗରବକୁ ଚୂନା କରେ କପଟୀର ଛନ୍ଦ ।
କେତେ ଦିନ ଭାବ ଲାଭ ଏମିତିକା ଥିବ ?
ଦିନେ ହେବ ମୂଳକଟା ବଂଶ ବୁଡ଼ିଯିବ !
