ବିଭାବରୀ
ବିଭାବରୀ
ଦିବସର ଅନ୍ତେ କ୍ଷଣଦା ଗମନ୍ତେ
ମହୀ ହୁଏ ଅନ୍ଧକାର
ଆଲୋକ ନିବାରି ରଚେ ବିଭାବରୀ
ପ୍ରକୃତିର ଅଭିସାର ll
ବ୍ୟସ୍ତ ଜନପଦ ସରସୀ କୁମୁଦ
ନୀରବେ ଯାଆନ୍ତି ଶୋଇ
ନିର୍ଜନତା ଭାଙ୍ଗେ ଝିଙ୍କାରିର ଶବ୍ଦ
ଶୂନଶାନ୍ ପଥ ଦେଇ ll
ଶୃଗାଳର ରଡି ଦିଅଇ ବିଗାଡି
ଗ୍ରାମ ସୀମନ୍ତିନୀ ନିଦ
ପାଦପ ପତରେ ନିକାଞ୍ଚନେ ବସି
ଖଦ୍ୟୋତ କରଇ ଖେଦ ll
ତଥାପି ଅନ୍ଧାର ନପାରଇ ନାଶି
ତା'ର ମିଞ୍ଜି ମିଞ୍ଜି ଜ୍ୟୋତି
ଏଇ ଦୁଃଖ ତାକୁ ଦେଇଛି ଦଇବ
ଉପହାସେ କରେ ଭୀତି ll
<
/p>
ଯାମିନୀ ବଢିଲେ ନିଶା ଗରଜିଲେ
ବିହରନ୍ତି ଅଶରୀରୀ
ଦୂର ତାଳବଣ, ବିଲଠୁ ଅଙ୍ଗନ
ଶଙ୍କାରେ ଉଠଇ ପୂରି ll
ପାହାନ୍ତି ପ୍ରହରେ ଉତ୍ତର ଆକାଶେ
ଦୃଶ୍ୟ ହୁଏ ଧ୍ରୁବତାରା
ପକ୍ଷୀ କାକଳିରେ ନିନାଦିତ ହୁଏ
ବ୍ରାହ୍ମମୟ ହୁଏ ଧରା ll
ଅପସରି ଯାଏ ମହୀରୁ ଶର୍ବରୀ
ଆସଇ ପ୍ରତ୍ୟୁଷ କାଳ
ନିର୍ମଳ ଆକାଶେ ନିଦ୍ରା ତେଜି ଖଗ
ଉଡିଯାନ୍ତି ଦଳ ଦଳ ll
ନିଦ୍ରା ବରଜିଣ ଆଳସ୍ୟ ତେଜିଣ
ଉଠନ୍ତି ଜଗତବାସୀ
ନିଜ ନିଜ କର୍ମେ ଲାଗନ୍ତି ସଭିଏଁ
ପ୍ରକୃତି ଉଠଇ ହସି ll