ବିବାହର ପ୍ରକାର
ବିବାହର ପ୍ରକାର
ପ୍ରଜାପତି ଘଟସୁତ୍ର ବିବାହ ବନ୍ଧନ
ନାରୀ ପୁରୁଷ ମିଳନ ସଂସାର ସର୍ଜନ |
ଚାରି ପ୍ରକାର ବିବାହ ଅଛି ଶାସ୍ତ୍ରମତ
ବୈଦିକ, ବାକଦତ୍ତ, ସ୍ୱୟଂମ୍ବର ଗାନ୍ଧର୍ବ୍ୟତ |
ସବୁଠାରୁ ଶ୍ରେୟ ଅଟେ ବୈଦିକ ପଦ୍ଧତି
ବେଦମନ୍ତ୍ରେ ବର କନ୍ୟା ବେଦୀରେ ବସନ୍ତି |
ଜାତକ ମେଳକ ଯୋଗ ଲଗ୍ନ ସ୍ଥିରୀକୃତ
ଉଭୟ ପକ୍ଷର ଗୁରୁଜନଙ୍କ ଗୃହୀତ |
ବ୍ରାହ୍ମଣ କରନ୍ତି ଏହି କର୍ମ ସମ୍ପାଦନ
ଭୋଜିଭାତ ମହୋତ୍ସବ ଆତ୍ମୀୟ ସ୍ୱଜନ |
ବାକଦତ୍ତ ବିବାହ ଏକ ପ୍ରତିଶ୍ରୁତିବଦ୍ଧ
ବହୁପୂର୍ବୁ ବର କନ୍ୟା ପକ୍ଷର ସମ୍ବନ୍ଧ |
କ୍ଷତ୍ରିୟମାନଙ୍କରଟି ଥାଏ ସ୍ଵୟଂବର
ପଣ ଯେ ପୂର୍ଣ୍ଣ କରଇ ଧରେ କନ୍ୟା କର |
ଶିବ ଧନୁ ଭାଙ୍ଗି ରାମ ବିଭା ମଇଥିଳୀ
ମହାଲାଖ ବିନ୍ଧି ପାର୍ଥ ଲଭିଲେ ପାଞ୍ଚାଳି |
କନ୍ୟା କରେ ସ୍ୱୟଂବରେ ସ୍ୱବର ଚୟନ
ମନ ଲାଖି ପତି ଗଳେ ମାଲ୍ୟ ଅରପଣ |
ଦମୟନ୍ତୀ ନଳ ମଦୟନ୍ତୀ ସଉଦାସ
କୁନ୍ତୀ ପାଣ୍ଡୁଙ୍କୁ ସାବିତ୍ରୀ ସତ୍ୟବାନେ ଆଶ |
ଗାନ୍ଧର୍ବ ମତରେ ବର କନ୍ୟା ପରସ୍ପର
ରାଜିନାମା ସ୍ୱୀକୃତିରେ ହୁଏ ବିଭାଘର |
ସମ୍ବରଣ ତପତି ଗାନ୍ଧର୍ବ ବିଭାଘର
ପୁରୁରବା ଉର୍ବଶୀ ଯଯାତି ଶର୍ମିଷ୍ଠାର |
ଆଜିକାଲି ପିତାମାତା ଅଜ୍ଞାତସାରରେ
ମାଳ ମାଳ ବିଭାଘର ଗାନ୍ଧର୍ବ ମତରେ |
କେହି ଦେବାଳୟେ କେହି ଅବା ନ୍ୟାୟାଳୟେ
ସାବାଳକ ବରକନ୍ୟା ରାଜିରେ ଏ ହୁଏ |
ଏବେ ଉଚ୍ଚ ଶିକ୍ଷାଧାରୀ ପାଶ୍ଚାତ୍ୟ ନୀତିରେ
ଚୁକ୍ତି ଅବଧି ବିବାହ କରନ୍ତି ଅଚିରେ |
ବିବାହ ପୂର୍ବରୁ ସମ୍ପର୍କିତେ ରହିଥାନ୍ତି
ଏପରି ବିବାହେ ବହୁ ଧୋକା ଖାଇଥାନ୍ତି |
ବସ୍ତ୍ର ପାଲଟିବା ପରି ଅଦଳ ବଦଳ
ପଶୁତ୍ୱ ବିବାହ ଏତ ନରକ ଆବିଳ |
ଏଣୁ ବୈଦିକ ସଂସ୍କୃତି ହେ ନର ଆଚର
ହସିବ ସଂସାର ଏକ ପତ୍ନୀ ବ୍ରତ ଧର |
