ବିବାହ
ବିବାହ
ପରଘରୁ ଝିଅ ଆଣି ବୋହୁ କର
ସାତ ଜନମକୁ ସାକ୍ଷୀ
ପିତା,ମାତା,ଭାଇ,ବନ୍ଧୁ ପରିଜନ
ଛାଡି ହୋଇଯାଏ ରକ୍ଷୀ ll
ବାପା ମାଆ ଯାହା ସଂସ୍କାର ଶିଖାଇ
ଛାଡିଥାନ୍ତି ପ୍ରାଣଧନ
ସଭିଙ୍କ ସଙ୍ଗରେ ସୁଖରେ ଚଳିବୁ
ମନକୁ ମିଶାଇ ମନ ll
ଦୁହିତା ଜନମ ଦୁଇ କୁଳ ପାଇଁ
ହିତ ସାଧନ କରିବୁ
ଜୀବନରେ ଯେତେ ବାଧା ବିଘ୍ନ ଆସେ
ଆନନ୍ଦରେ ସହିଯିବୁ ll
ଶାଶୁ ଶଶୁର ତୋ ଦେବତା ସମାନ
ସେବା କରୁଥିବୁ ନିତି
ନଣନ୍ଦ ଦିଅର ପତିଙ୍କୁ ନିଜର
କରିନେବୁ ନିଜ ସାଥୀ ll
ସବୁରି ଖୁସିରେ ଖୁସି ହୁଏ ସଦା
ଦେଇ ସ୍ୱାର୍ଥ ଜଳାଞ୍ଜଳି
ଯଦି କେବେ ଟିକେ ପ୍ରତିବାଦ କରେ
ଆରମ୍ଭ ହୁଅଇ କଳି ll
କାଲି ଯିଏ ଥିଲେ ଅତି ଆପଣାର
ଆଜି ହୋଇଗଲେ ପର
ଯାହା ପାଇଁ ସିଏ ଘର ଛାଡିଥିଲା
ବୁଝିଲାନି ମନ ତାର ll
ଜୀବନେ ଯେତେ ସୁକର୍ମ କରିଥିଲା
ସବୁ ଭୁଲିଗଲେ ମନୁ
ଦଶ ଦୋଷ କ୍ଷମା କରି ଆଣିଥିଲା (ଯେ)
ଦୁରେଇ ଦେଲା ଜୀବନୁ ll
ସମୟ ସ୍ରୋତରେ ସମ୍ପର୍କ ଡୋରିଟା
ଧୀରେ ଧୀରେ ଛିଣ୍ଡିଗଲା
ଅସହ୍ୟ ହୋଇଣ ପବିତ୍ର ବନ୍ଧନ
ଛାଡପତ୍ରେ ବଦଳିଲା ll
ବିବାହ ବନ୍ଧନ ପିଲା ଖେଳ ନୁହେଁ
ବାନ୍ଧିଦେଇ କାଟିଦେବ
ସୁନ୍ଦର ବନ୍ଧନ ହୃଦୟରେ ବନ୍ଧା
ପ୍ରେମେ ବିଶ୍ୱାସେ ବାନ୍ଧିବ ll
ତେବେ ଯାଇ ଏହି *ଛାଡପତ୍ର* ଶବ୍ଦ
ସଂସାରୁ ଲୋପ ପାଇବ
ଜନ୍ମ ଜନ୍ମ ଧରି ସାତ ଜନମକୁ
ନିଜର ହୋଇ ରହିବ ll