ଭିଟାମାଟି
ଭିଟାମାଟି
ଯେଉଁ ଘରେ ମୁଁ ଯେ ଜନମ ନେଇଛି
ଜଳିଛି ମୋ ଷଠୀନିଆଁ
ସେହି ଘର ମୋର ଅତି ଆପଣାର
ଝାଟିମାଟି ମୋର ଗାଆଁ ll
ସ୍ନେହ ଶରଧାର ମୂଳଦୁଆ ତାର
ବିଶ୍ୱାସର ମଝି ଖୁଣ୍ଟି
ଶାନ୍ତି ମୈତ୍ରୀ ପ୍ରୀତି ସଦା ବିରାଜିତ
ପ୍ରେମ ରହିଥାଏ ବାଣ୍ଟି ll
ଛଣ ଛପରରେ ମାଟି କାଦୁଅରେ
ଗଢ଼ା ମୋର ଭିଟାମାଟି
ତା କୋଳରେ ଯିଏ ଶୋଇଛି ଥରୁଟେ
ପାଇଛି ଜୀବନେ ଶାନ୍ତି ll
କୁନିକୁନି ପାଦେ ଚାଲିବା ଶିଖିଛି
ପଡିଛି ଉଠିଛି ଯେତେ
ତୋଳି ଧରିନେଇ କୋଳରେ ବସାଏ
ଆନନ୍ଦ ଦେଇଛି କେତେ ll
ବାପା କକା ଭାଇ ହରଷେ ରୁହନ୍ତି
ସଭିଏଁ ମୋ ଆପଣାର
ଜେଜେ ଜେଜେମାଙ୍କ ନୟନ ପିତୁଳା
କୋଳ ତାଙ୍କ ସ୍ୱର୍ଗ ପୁର ll
ବିପଦେ ଆପଦେ ଏକତା ଯେ ଶକ୍ତି
ଆସୁ ଯେତେ ଭୟଙ୍କର
ଟିକେ ନଇଁ ଗଲେ ସବୁ ଟଳିଯାଏ
ହାରି ଯାଏ ବହୁଦୂର ll
ଭିଟାମାଟି ମୋହ ଛାଡି ପାରିନି କେ
ଜନ୍ମରୁ ମରଣ ଯାଏଁ
ଦିନେ ନା ଦିନେ ସେ ବାହୁଡ଼ି ଆସିଛି
ବାନ୍ଧି ପାରିନାହିଁ କିଏ ll