ଗୋମାତା
ଗୋମାତା
ଗୋ ମାତା କେବେ ଗରଭେ ଧରିନି
ଜନମ ଦେଇନି ମୋତେ
ତଥାପି ତାହାର ଅମୃତ ପରଶେ
ବଞ୍ଚି ରହିଛି ଜଗତେ ll
ମାଆ ନ ହୋଇ ବି ମାଆର ମମତା
ବୋଳି ଦେଇଛି ସେ ଏତେ
ସେଥିପାଇଁ ପରା ଭାରତ ଭୂମିରେ
ମା ରୂପେ ପୂଜୁଛି ତୋତେ ll
ତୋର ମଳମୂତ୍ର ଅଟଇ ପବିତ୍ର
ଅଶୁଦ୍ଧିକୁ ଶୁଦ୍ଧି କରେ
ଜଗତର ଯେତେ କୀଟାଣୁ ବୀଜାଣୁ
ସମୂଳେ ବିନାଶ କରେ ll
ନିର୍ଜଳିକୃତ ତୋହରି ଅମୃତ
ନବନୀତ ହୁଏ ଘୃତ
ସେହି ଘୃତ ଆଜି ଅଵ୍ୟର୍ଥ ଔଷଧ
ଦୂରାରୋଗ୍ୟ କରେ ଅନ୍ତ ll
ଏତେ ଉପକାର ପାଇ ମାଆ ଠାରୁ
ତଥାପି ହୁଅ ନିଷ୍ଠୁର
ଅର୍ଥଲୋଭି ନର ଧରି ପାପ ଭାର
କରି ଗଲୁ ଅତ୍ୟାଚାର ll
ଆରେ ମହାପାପୀ ନ ହୁଅ ରେ ଭାଗୀ
ମାଆକୁ ମୋ ରକ୍ଷାକର
ଜନମ ଦିନରୁ ମରଣ ପର୍ଯ୍ୟନ୍ତ
ସେବୁଥିବ ତା' ପୟର ll
ମାଆ ବୋଲି ତାକୁ ଡାକୁ ଦିବାନିଶି
କେମିତି ହୁଡ଼ିଲା ମତି
କଂସେଇ ହାତରେ ଟେକି ଦେଇ ମାଆ
ଡାକି ଆଣୁଛୁ ଦୁର୍ଗତି ll
ଗୋ ମାତା ରକ୍ଷା ଏ ଜଗତ ରକ୍ଷା
କଥାଟି ମନେ ରଖିଥା
ନ ହେଲେ ଅକାଳେ ହୋଇବ ମରଣ
ମାନବ ଜନମ ବୃଥା ll