STORYMIRROR

Rankanidhi Sethi

Tragedy

4  

Rankanidhi Sethi

Tragedy

ଭାରି ଭଲ ଲାଗେ

ଭାରି ଭଲ ଲାଗେ

1 min
274


ଭାରି କଷ୍ଟ ଲାଗେ ଅଭାବି ଜୀବନ

ବଞ୍ଚିବାକୁ ଇଛା ହୁଏନି ମନ

ଅନୁଭବୀ ସିନା  ଜାଣିବ ଏ କଷ୍ଟ

ଭାତ ମୁଠେକୁ ଯେ ଦେଖେ ସପନ ll


ଭାରି କଷ୍ଟ ଲାଗେ ବାପା ଅନ୍ତରକୁ 

କାନ୍ଦେ ଯେବେ ମୁନା ପେଟ ଆଉଁସି

ଘରଣୀ ମୋହର ଚୁଲି ମୁଣ୍ଡେ ବସି

ଭିଜା ନୟନରେ ଦିଅଇ ହସି ll


ଭାରି କଷ୍ଟ ଲାଗେ ରୋଷେଇ ଘରର 

ଖାଲି ହାଣ୍ଡି ହସେ ମୋତେ ଅନେଇ

ବାସି ତୋରାଣିରେ ଲୁଣ ଲଙ୍କା ମନ୍ଥି

ମା'ପିଇବାକୁ ଦିଏ ହାତେ ବଢ଼ାଇ ll


ଭାରୀ କଷ୍ଟ ଲାଗେ ପେଟ ଜ୍ୱାଳା ପାଇଁ

ବାପା ଧାଉଁଥାଏ ବାର ଦୁଆର

କାମ ଖଣ୍ଡେ ପାଇ ଖୁସିରେ ଅଧିର 

କୁନା ମୁହେଁ ଦେବ ମୁଠେ ଆହାର ll


ଭାରି କଷ୍ଟ ଲାଗେ କୋମଳ ଶିଶୁଟି 

ଅଇଁଠା ପତ୍ରରେ ଖୋଜଇ ଦାନା

କେବେ ଚୋରି କରେ କେବେ ମାଡ଼ ଖାଏ

କେବେ କାନ୍ଦୁଥାଏ ମା'ବାପା ବିନା ll


ଭାରି କଷ୍ଟ ଲାଗେ ଶୀତ କାକରରେ

ଥୁରୁ ଥୁରୁ ଥରେ ଶରୀର ତାର

ଝଡ଼ ବରଷା କି ନିଦାଘ ଗ୍ରୀଷ୍ମରେ

ଖୋଜି ବୁଲୁଥାଏ ତା ପ୍ରିୟ ଘର ll


ଭାରି କଷ୍ଟ ଲାଗେ ଦେଖି ତାର ରୂପ

ଵିଵସନା କୃଷ୍ନା ସଭା ମଧ୍ୟରେ

ଶ୍ଵାନ ଶୃଗାଳର ଅଟ୍ଟହାସ୍ୟେ ହଜେ

ଦୁର୍ଗା କାଳୀଙ୍କର ଆର୍ତ୍ତ ଚିତ୍କାରେ ll


ଭାରି କଷ୍ଟ ଲାଗେ ନିରୀହ ମଣିଷ

ହଜି ଯାଏ ଯେବେ ଲୋଭ ମାୟାରେ

ମାନବିକତାକୁ କରି ଅସ୍ତ୍ର ଧାର

ଲୁଟି ନେଇଯାଏ ମାୟା ଜାଲରେ ll


ଏଇତ ଜୀବନ ଦୀନ ଦରିଦ୍ରଙ୍କ 

କିଏ ବା ହରାଏ କର୍ମ ସଂସ୍ଥାନ

ତଥାପି ବଞ୍ଚିଛି ଜୀବନ ଏଇଠି

ଜିତିବା ପଣକୁ ଦେଇ ସମ୍ମାନ ll


କରୁଛି ଗୁହାରୀ ଆହେ ଗିରିଧାରୀ

ଏମିତି ଆଶିଷ ଦିଅ ସେ ଜନେ

ଅନ୍ତର ଜ୍ୱାଳାକୁ ହସି ସହିଯିବେ

ନ ମାରିବେ କେହି ଭୋକରେ ଦିନେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy