ଭୟଙ୍କର
ଭୟଙ୍କର
ଦିନେ ଆସିଲା ଅଜବ ଖିଆଲଟିଏ
ଉଙ୍କି ମାରିଲା ଜଟିଳ ପ୍ରଶ୍ନଟିଏ
ହୋଇ ଆକ୍ତାମାକ୍ତା ପଚାରିଲି
ଖିଆଲି ବେହିସାବୀ ମନକୁ ମୋର
ଭୂତ ପ୍ରେତ ପିଶାଚ
ଜନ୍ତୁଜୁନ୍ତା ସରୀସୃପ ଉଦ୍ଭିଦ
ପଶୁପକ୍ଷୀ କୀଟପତଙ୍ଗ ସ୍ଥାବରଜଙ୍ଗମ
ଜଳଚର ସ୍ଥଳଚର ନିଶାଚର
ଜୀବାଣୁ ଭୁତାଣୁ ବୀଜାଣୁ
କିଏ ସବୁଠୁଁ ବେଶୀ ଭୟଙ୍କର?
ଅନ୍ତରରୁ ମିଳିଲା ସହସା
ନିର୍ଭୁଲ ନିର୍ଭେଜାଲ୍ ନିଶ୍ଚିତ ଉତ୍ତର
ନିର୍ଦ୍ଵନ୍ଦ ନିର୍ବିବାଦ ନିଃସନ୍ଦେହରେ
ତୁ' ହିଁ ଜୀବ ଶ୍ରେଷ୍ଠ "ମନୁଷ୍ଯ"
ଏଇ ମହୀ ମଣ୍ଡଳରେ
କେହି ନୁହଁଇ ତୁଳନୀୟ ତୋର !
ଭାଷି ଚାଲିଲା ଅନ୍ତର୍ମନ ଅନର୍ଗଳ
ମୋହରି ପାଇଁ କାଳେ ସୃଷ୍ଟି ହୋଇଛି
ଏଇ ସୃଷ୍ଟିରେ ସମସ୍ୟା ସକଳ
ମୁହିଁ ଯେ ସର୍ବଗ୍ରାସୀ ବଳିଷ୍ଠ
ଧରାକୁ ସରା ପ୍ରାୟ ମଣି
ସଭିଙ୍କୁ କରି ବଶୀଭୂତ
ଧ୍ବଂସମୁଖକୁ ସୃଷ୍ଟିକୁ କରିଛି ପ୍ରେରିତ !
ଶୁଣି ବି ଅନ୍ତରାତ୍ମାର ଧିକ୍କାର
ବ୍ଯଥିତ ହେବା ନୁହେଁ ମୋ ସ୍ବଭାବ
ଶ୍ରେଷ୍ଠତ୍ବର ପରାକାଷ୍ଠାରେ ଗର୍ବିତ
ତିଳେ ବି ନୁହଁଇ ଅନୁତପ୍ତ କି ଚିନ୍ତିତ
ମୁହିଁ ତ ଜୀବ ଶ୍ରେଷ୍ଠ ମଣିଷ !
