ଭୂଜ ତଳେ ରଖ ମହାବାହୁ
ଭୂଜ ତଳେ ରଖ ମହାବାହୁ
ଦୀନ ଦୁଃଖି ଟିଏ ଡାକୁଛି ଗୋସେଇଁ
ଭୂଜ ଟେକି ବସି ଅଛ
ସେଇ ଭୂଜ ତଳେ ଆଶ୍ରୟ ଦିଅ ହେ
ନୟନର ନୀର ପୋଛ ।
ମହାବାହୁ ନାମ ବହିଅଛ ପରା
ଭୂଜ ର ଅପୂର୍ବ ଶୋଭା
ଅଭୟ ଦିଅ ହେ ଭାବର ଠାକୁର
ଅପରୂପ ବର୍ଣ୍ଣବିଭା ।
ଭୂଜ ତଳେ ରଖ ସହାସ୍ୟ ବଦନେ
ଧଇର୍ଯ୍ୟ ଶକତି ବଢୁ
ବିପଦେ ସମ୍ପଦେ ପ୍ରତି ମୁହୂର୍ତ୍ତରେ
ତୁମ ଭୂଜ ଛାଇ ପଡ଼ୁ ।
ସେ ଭୂଜ ଛାଇରେ ଭୁଲି ଯାଏ ମୁହିଁ
ସୁଖ ଦୁଃଖ ଜୀବନର
ତୁମକୁ ପରଶି ହଜି ମଜିଯାଏ
ଜୀବନ ସାର୍ଥକ କର ।
ହେ କଳା ଠାକୁର ତୁମେ ତୁମ ସ୍ରଷ୍ଟା
ଆମେ ତ ତୁମରି ସୃଷ୍ଟି
ଭୂଜ ଉହାଡରେ ରଖ ଚକାଡୋଳା
ଦେଉଥାଅ କୃପା ଦୃଷ୍ଟି ।
କରୁଣା ସାଗର କରୁଣା କଣିକା
ଢାଳି ଦିଅ ପ୍ରଭୁ ବାରେ
ଆହେ ମହାବାହୁ ଉଦ୍ଧାର କର ହେ
ଭବ ଜଳେ ଘୁରି ମରେ ।
ଜଗତର ନାଥ ବୋଲାଇଛ ପରା
ଏ ସଂସାର ତୁମ ସୃଷ୍ଟି
ଭୂଜ ମେଲି ପ୍ରଭୁ ଏ ସାରା ଜଗତେ
କର ହେ କରୁଣା ବୃଷ୍ଟି ।
ମନ୍ଦିର ସେବକ କରିଦିଅ ପ୍ରଭୁ
ତୁମ ପାଖେ ପାଖେ ଥିବି
ଭୁଜ ତଳେ ରହି ଆହେ ମହାବାହୁ
ଶ୍ରୀମୁଖ ଯେ ଦେଖୁଥିବି ।
ଥରୁଟିଏ ପାଇଁ କାଳିଆ ଠାକୁର
ଭୂଜ ତଳେ ରଖି ଦିଅ
ମେଣ୍ଟି ଯିବ ଯେତେ ଅବଶୋଷ ମୋର
ତୁମେ ମୋ ଜୀବନ ଖିଅ ।
ଭାବ ବିନୋଦିଆ ଭାବ ଲଗାଇଛ
ନୀଳ କନ୍ଦରରେ ବସି
ରାହା ନ ପାଇଲେ ସାହା ତୁମେ ହେବ
ଧଇର୍ଯ୍ୟ ଦେବ ପରଶି ।
ଭାବର ଠାକୁର ଭାବ ଦଉଡ଼ି ରେ
ତୁମେ ସଦା ବାନ୍ଧି ହୁଅ
ମୋ ଭାବେ ଅଭାବ କେଉଁଠି ରହିଲା
ମନ ଖୋଲି କହିଦିଅ ।
ଜୀବନ ଜଞ୍ଜାଳେ ଘାଣ୍ଟି ହୁଏ ପ୍ରଭୁ
ଶାନ୍ତି ଟିକେ ଖୋଜି ବୁଲେ
ଭୁଜ ତଳ ଆଶ୍ରା ଦିଅ ମହାବାହୁ
ସବୁ ଦୁଃଖ ମୁଁ ଯେ ଭୁଲେ ।
ଉର୍ଦ୍ଧ୍ଵ ଗାମୀ ଭୂଜ କରି ରଖିଅଛ
ଇସାରା ରେ ଦିଅ ବାର୍ତ୍ତା
ଭୁଜ ତଳେ ତୁମ ଶରଣ ନେଉଛି
ରଖ ହେ ବିଶ୍ଵ କରତା ।।
