ବହୁରୂପା
ବହୁରୂପା
ତୁମ ଆଖିରେ ଦେଖିଲେ ଅଷାଢୁଆ ଲୁହ
ଚାପିପାରେନି ମୁଁ ମୋର କୋହ
ଭାରି ଡର ଲାଗେ
ଲୁହ କାଳେ ପୋଡି ଦେଇଥିଲା
ଗୋଟିଏ ସୁବର୍ଣ୍ଣପୁର
ଥରିଲା ଓଠର ଭୂକମ୍ପ
ଚୁରମାର କରିଥିଲା
ସବୁ ଗର୍ବ ଅହଂକାର ।
ତୁମ ସୌନ୍ଦର୍ଯ୍ୟର ନାହିଁ ଉପମା
ନାହିଁ ଜାତି ଗୋତ୍ର
କେଉଟ ହୋଇଛି ଏଠି ଉତ୍ତରଦାୟଦ
ଜଣେ ନାମୀ ରାଜପୁତ୍ରର ।
ଅଧାଗଢା ଦିଅଁ ଜଗନ୍ନାଥ
ଦିଶନ୍ତି ଏଠି ଭାରି ସୁନ୍ଦର
ବୁଲାଇଥିଲ ତାଙ୍କୁ ବାରଦୁଆର
ମଙ୍ଗଳ କରିବାକୁ ଏ ଜଗତ
ବାନ୍ଧିନେଉଥିବା ମୃତ୍ୟୁକୁ
ଛାଡିଦେଇଥିଲା ଯମ
ଶୁଣି ତୁମ ଆକୁଳ କଣ୍ଠସ୍ଵର ।
ରାଜମୁକୁଟ ଉଡାଇନିଅ ରାତାରାତି
ଛଳନାର ନିଶ୍ଵାସରେ
ସଜାଇଦିଅ ନିଜକୁ ଅର୍ଦ୍ଧନାରୀ ପୁରୁଷ ବେଶ
କୁହୁଳୁଥିବା ପ୍ରତିଶୋଧ ନିଆଁରେ
ସୃଷ୍ଟି ପାଇଁ ଭାଙ୍ଗିଦିଅ
ସବୁ ସାମାଜିକ ବାଡ ବନ୍ଧନ
କଳାଦାଗ ଲଗାଇଦିଅ ସଂପର୍କରେ
ଯୁଗେ ଯୁଗେ ହୋଇ ମହାନ
ଅପବାଦ ନିନ୍ଦା ପ୍ରଶଂସା
ପ୍ରଚ୍ଛଦ ପଟେ ରହିଯାଅ ତୁମେ
ସମାଜ ବୁଝି ବି ଅବୁଝା
ଚେତୁନାହିଁ କାହିଁ ମରମେ ମରମେ ।
କେବେ ତୁମେ ପୋଛିଦିଅ ବିନ୍ଦୁବିନ୍ଦୁ ଝାଳ
ସ୍ନେହ ମମତାର ପଣତକାନିରେ
ବାର ଓଷା ତୀର୍ଥବ୍ରତ କରି
ଶେଷ ଯାଏଁ ଅନାଇରୁହ
ପାଣି ଟିକେ ନେବାକୁ ପାଟିରେ ।
ପୁଣି କେବେ ମୋ ନିଷ୍ଟୁର ପଥରକୁ ଭେଦି
ଧୋଇ ନିଅ ପୁଞ୍ଜିଭୁତ ଦୁଃଖକୁ
ତୁମ ଅମୃତ ଝରଣାରେ
ତୁମେ ଆରମ୍ଭରୁ ମୋ ପାଖରେ
ଶେଷ ଯାଏଁ ବି ରହିଥିବ ବେଶ ବଦଳାଇ
ଆଉ କେଉଁ ରୂପରେ ।
ତୁମେ ବହୁରୂପା
ରହିଥିବ ମୋ ପାଖେ ପାଖେ
କେବେ ଜନନୀ
କେବେ ଭଗିନୀ
ପୁଣି କେବେ ସାଜିଥାଅ
ମୋର ଅର୍ଦ୍ଧାଙ୍ଗିନୀ ।
ଶଶାଙ୍କ ଶେଖର ରାୟ
