ଭୁଲି ମୁଁ ପାରୁନି
ଭୁଲି ମୁଁ ପାରୁନି
ମଧୁର ମଧୁର ବାର୍ତ୍ତାଳାପଭରା
ଅଭିବ୍ୟକ୍ତି ଦେଇ କର ନିଜର !
ଭୁଲି ମୁଁ ପାରୁନି , ଭୁଲି ପାରିବିନି
ତୁମରି ନିଃସ୍ୱାର୍ଥ ପ୍ରୀତି ମଧୁର !
ଭାବନାରେ ତୁମେ ଅଭାବେ ବି ତୁମେ
ସକାଳ କିରଣେ ସଞ୍ଜ ସ୍ମୃତିରେ !
ବର୍ଣ୍ଣିବାକୁ ଭାଷା ଖୋଜି ତ ପାଉନି
ରହି ବିରହର ମଧୁଋତୁରେ !
ସଂକୀର୍ଣ୍ଣ ସହର ଗାଇ କି ପାରିବ
ଆମ ବନ୍ଧୁତାର ଦୁର୍ଲଭ ଗାଥା !
ଲାବଣ୍ୟପ୍ରୀତିର ନିର୍ମଳ ଭିତ୍ତିରେ
ଲିପିବଦ୍ଧ ହେବ ଆମରି କଥା !
ସୁଶୀଳତା ସଙ୍ଗେ ସୁନ୍ଦରତାପଣେ
ଗୋପନୀୟ ମଧୁ ନିର୍ଝର ଝରେ !
ସବୁ ଗୁଣର ତ ସମ୍ୟକ୍ ସମାହାର
ତା' ସଙ୍ଗେ ତୁମ ମମତା ନିର୍ଝରେ !
ଖୋଜୁଛି ,ପାଉନି ଦେବି ଉପହାର
କାରଣ ବି ତା'ର ଜାଣି ପାରୁନି !
ଗୋଲାପ ବି ନୁହେଁ ,ପାଖୁଡ଼ାରେ ତାର
ତୁମରି ସୁରଭି ଖୋଜି ପାଉନି !
ମିଛ ପ୍ରଶଂସା ମୁଁ କରି ତ ଶିଖିନି
ଲେଖିଲି ଯା' ଥିଲା ସ୍ଵ-ଅନୁଭବେ !
ଜାଣେନି କେତେଟା ହେବ ଗ୍ରହଣୀୟ
ଭରିଛି ଶବ୍ଦାର୍ଥ ବର୍ଣ୍ଣବୈଭବେ !
ସମସ୍ତେ କୁହନ୍ତି ଭାଗ୍ୟବତୀ ବୋଲି
କଳାତୁଳସୀର କଳାପଣକୁ !
ମୁଁ ଭାବେ ଜଗତନାଥ ଜଗନ୍ନାଥ
ଚୋରାଇଛନ୍ତି ତା' କଳାପଣକୁ !
ବନ୍ଧୁ ରୂପେ ମୋର ଆବାଲ୍ୟ ବାନ୍ଧବୀ !
ବନ୍ଧୁତାସୂତ୍ରରେ ବନ୍ଦୀ ମୁଁ ହେଲି !
ଜନ୍ମ ଜନ୍ମ ପାଇଁ ଦୂର ପାହାଡ଼ରୁ
ସପରିବାର କଲ୍ୟାଣ ଇଚ୍ଛିଲି !
ବାଲ୍ୟକାଳ ବାଲିଘର ବନ୍ଦନୀୟ
ଚିର ସବୁଜ ତା' ପ୍ରୀତି ଅଗଣା !
ବାଲ୍ୟ ବନ୍ଧୁ ସଦା ପ୍ରେମ ମହାସିନ୍ଧୁ
ତା' ପଣତ କେବେ ନୁହଇ କିଣା !
ବାନ୍ଧବୀ ,ଜନନୀ , ଜାୟା କି ଭଗିନୀ
ସବୁ ରୂପରେ ନାରୀ ବନ୍ଦନୀୟା !
ମହିଷମର୍ଦ୍ଦିନୀ ଅବା କାତ୍ୟାୟନୀ
ହେଉ ପଛେ ନୁହେଁ ସେ ନିନ୍ଦନୀୟା !