ଭୁଲ ଠିକଣା..
ଭୁଲ ଠିକଣା..
ତୁମ ଠିକଣା ତ ମୋ ହୃଦୟରେ ଗାର..
ମୋ ଜାଣିବାରେ ଭୁଲ ହେବାର
ସାମାନ୍ୟତମ ସମ୍ଭାବନା ନଥିଲା,
କାରଣ, ମୁଁ ଜାଣେ..,
ମୁଁ ଜାଣେ ତୁମେ ମେଘକନ୍ୟା,
ସ୍ୱପ୍ନ ସୁନ୍ଦରୀ, ମେଘବର୍ଣ୍ଣା..,
ମେଘରାଇଜର ରାଜ ଜେମା,
ମେଘନନ୍ଦିନୀ, ଶୀତଳ ଦେଶର ରାଜକୁମାରୀ,
ବାଦଲ ରାଇଜରେ ତୁମର ରାଜମହଲ,
ତାରା ଭରା ଜହ୍ନ ଉଆସ ତୁମ ସ୍ୱପ୍ନପୁର,
ସରଗ ସେପରିରେ ସ୍ୱପ୍ନର ନନ୍ଦନ ବନ,
ଦୂର ଦିଗବଳୟ ଆର ପାରିରେ କୁଞ୍ଜବନ,
ଆଉ କଣ ତୁମ ଠିକଣା ଲୋଡ଼ା,
ଏତିକି ତ ମୋ ପାଇଁ ଯଥେଷ୍ଟ..!
ତୁମ ଚାଲିରେ ତ ଫୁଟି ଉଠେ ଲକ୍ଷେ ପାରିଜାତ,
ଅଳସରେ ଗଛେ କଦମ୍ବ ଫୁଲ,
ତୁମ କଥାରେ ତ ଶୁଭେ ମୋହନ ମୁରଲୀ ସ୍ଵନ,
ହସରେ ମଧୁ ଚମ୍ପାର ମହକ, ଅମୂଲ ମୂଲ,
ତୁମ ଗଭାରେ ଶୋଭେ ନୀଳ ଆକାଶ ତାରା,
ଚାଲିରେ ମଧୁ ଝରଣା,
ହଁ ଏଇ ତ ତୁମ ଠିକଣା..!
ତେବେ ଭୁଲ ମୋର ରହିଲା କେଉଁଠି..?
ତୁମେ ଜାଣିଛ ନନ୍ଦିନୀ..
ତୁମକୁ ମୁଁ ଦେଖିଲା ଦିନ,
ଦିଶୁ ଥିଲ ତୁମେ ଘନ ନୀଳ,
ଗାଢ଼ ରକ୍ତ ମନ୍ଦାର ଅଧରରୁ ତୁମ
ମେଘ ଡମ୍ବରୁ ବେଣୀ,
ଅଳସୀ ଛନ୍ଦା ପଲକେ ତୁମ କଳା ଘୁମର ଠାଣି,
ତୁମର ସେ ପଦ୍ମ ଗନ୍ଧର ମହକରେ,
ସତେ ବା ଲକ୍ଷେ ଚମ୍ପାର ଚମକ,
ହଜାରେ ରଙ୍ଗର ଫଗୁଣ ସାଙ୍ଗକୁ,
ସହସ୍ର ବର୍ଷର ଝରା ଶ୍ରାବଣ,
ତୁମର ସେ କଅଁଳ ଛନ ଛନ ମନରେ,
ଅନେକ ବିଜୁଳିର ଚମକ,
ତୁମର ସେ ବଧୂଲି ପାଦରେ
ତୁମେ ଯେବେ ତୋଳୁ ଥିଲ ମଧୁ ଛନ୍ଦର
ଅଙ୍କନ, ହସୁ ଥିଲା ଅସରାଏ ବସନ୍ତ,
ହେଲେ, ଏତେ ସବୁ ଜାଣିଲା ପରେ ବି
ଭୁଲ ରହିଲା କେଉଁଠି..?
ତେବେ କଣ,
ସତରେ କଣ ମୋ ଦେଖିବାରେ ଭୁଲ ଥିଲା,
ନାଁ ମୋ ଭାବନାରେ କିଛି ତ୍ରୁଟି ଥିଲା..
ଅବା ମୋ ଲେଖାରେ କିଛି କମ ଥିଲା
ନାଁ ସେ ମୋ ପାଇଁ ଥିଲା
କେଉଁ ଏକ ଭୁଲ ଠିକଣା..???

