ଭତ୍ତା
ଭତ୍ତା
ବାର୍ଦ୍ଧକ୍ୟର ଭତ୍ତା ସାତ ସପନ ଲୋ
ଆଖିରୁ ମଲାଣି ପାଣି
ଇଜ୍ଜତେ ମହତେ ବଞ୍ଚିବା ଇଚ୍ଛାରେ
ଆଣ୍ଠୁଗଣ୍ଠି ଧଇଲାଣି ।
ଭୋଟ ପୂର୍ବରୁ ଆସିଥିଲେ ନେତା
କହିଥିଲେ ମୃଦୁ ବାଣୀ
ବିଭିନ୍ନ ଯୋଜନେ ଏତେ ପାଇବୁ ଯେ
ପାରିବୁନି ଜମା ଗଣି ।
ଇନ୍ଦିରା ଆବାସ, ବିଧବାର ଭତ୍ତା
ବୁଢାବୁଢୀଙ୍କର ପାଇଁ
କେତେ କେତେ ସବୁ ନାଆଁ କହିଗଲେ
ମନେ ତ ରହିଲା ନାହିଁ ।
ସେଦିନୁ ଧାଇଁଛି ବ୍ଲକ ଅଫିସି
ପଞ୍ଚାୟତ ରାତି ଦିନ
ଦିଅ ବାବୁମାନେ ସାହାଯ୍ୟ ଯୋଗେଇ
ମୁଁ ବଞ୍ଚିବି ବା କେତେ ଦିନ !
କରିଥିଲି ପୁଞ୍ଜେ ପୁଅ ଝିଅ ଜନ୍ମ
ବଢେଇଥିଲି ଯତନେ
ତାଙ୍କ ଅରଦଳି ପୂରା କରିବାକୁ
ପେଟକୁ ଖାଇନି ଦିନେ ।
ମାତୁରୁ ସୁଖରେ ବିଭୋର ହେଇକି
ଭୁଲିଥିଲି ସବୁକିଛି
ଆଜି ସେଇ ସୁଖ, ମୋ ପାଇଁ କଳଙ୍କ
ଭାଗ୍ୟକୁ ଖାଲି ନିନ୍ଦୁଛି ।
ଲଗିଗଲା ପର, ଉଡିଗଲେ ପକ୍ଷୀ
ରହିଛି ପଡି ମୁଁ ଏକା
ଭୋକରେ ପେଟ ମୋ ପିଠି ଛୁଇଁଲାଣି
ହାତଗୋଡ ହେଲା ବଙ୍କା ।
ଅନ୍ଧାରୀ ମୂଲକେ ଘର ଅଟେ ଯେଣୁ
ପାଦ ଥାପେ ନାହିଁ କେହି
ହଜାର ଯୋଜନା ନାଆଁ ଶୁଣିଲିଣି
ଲାଭ କିନ୍ତୁ ପାଇନାହିଁ ।
ବ୍ଲକ୍ ଅଫିସିରେ କହିଥିଲେ ଦିନେ
ମିଳିବ ବିପିଏଲ୍ କାର୍ଡ
ପାଇବାକୁ କିନ୍ତୁ, କରିବାକୁ ହେବ
ଗାନ୍ଧି ମୁଣ୍ଡର ଯୋଗାଡ ।
ସେତିକି କ୍ଷମତା ଥାଆନ୍ତା ଯଦି ମୋ
ତାତୁ ଥାଆନ୍ତା କି ପେଟ
ନିଲଠା ପ୍ରାଣଟା ଚାଲିଯାନ୍ତା ଯଦି
ସରିଯାନ୍ତା ସବୁ ନାଟ ।
ଯାହା ହାତ ଧରି ଆସିଥିଲି ଦିନେ
ଆଖିରେ ସପନ ଭରି
ଅଧା ବାଟେ ଏକା କରିଦେଇ ଗଲା
କାନ୍ଦୁଅଛି ଝୁରି ଝୁରି ।
ସ୍ୱାମୀ ଗଲା ପରେ ନିଃସହାୟ ହୋଇ
ପଡିଅଛି ଏକା ଏଠି
ବିଧବା ଭତ୍ତାଟା ମିଳିବା ଆଶାରେ
ଆସୁଛି ମୁଁ ପଡିଉଠି ।
ଦିନେ ବି ପାଇନି ଖୁଦ କଣିକାଏ
କେମିତି ମାରିବି ଭୋକ
ଅଫିସିରେ କିନ୍ତୁ ବାବୁ କହୁଛନ୍ତି
ଅଛି ମୋ ଆଙ୍ଗୁଠି ଛାପ ।
କାହାକୁ ମିଳିଲା, କେତେ ବା ମିଳିଲା
ଜଣାନାହିଁ କିଛି ମତେ
ମୋ ନାଁ ରେ ଯଦି ଥିଲା ସେ କାର୍ଡଟା
ମିଳିଲାନି କାହିଁ ସତେ !
କିଏ କହୁଅଛି ଆର ଗାଁ ବୁଢୀର
ପାଖେ ଅଛି କାର୍ଡ ମୋର
କେମିତି ସେଇଟା ଗଲା ତା’ ହାତକୁ
ଦେଉନି କେହି ଉତ୍ତର ।
ଅନ୍ତ ଫାଡି ଯା’କୁ ଜନ୍ମ ଦେଇଥିଲି
ସିଏ ତ ଚାହିଁଲା ନାହିଁ
କାହିଁ ତେବେ ମନ ଦୁଃଖ ମୁଁ କରିବି
ସର୍କାରୀ ଯୋଜନା ପାଇଁ ।
କିଏ ବା ଅଟନ୍ତି ସେମାନେ ମୋହର
ବୁଝିବେ ମୋ ପେଟ ଦୁଃଖ
ଥାଆନ୍ତୁ ସୁଖରେ ସଂସାରେ ସଭିଏଁ
ଫେଡନ୍ତୁ ଠାକୁରେ କଷ୍ଟ !
-0-