ଭରସା
ଭରସା
ଭରସା କରିଛି ତୁମକୁ
ତୁମେ ମୋର ନିଜର ।
ସୁଖରେ ଦୁଃଖରେ ସର୍ବଦା
ତୁମେ ସାଥୀ ମୋହର ।
ତୁମେ ତ ଆଧାର ବିଶ୍ବର
ଆହେ ଜଗଜ୍ଜୀବନ ।
ତୁମ ବିନା କିଏ ରଖିବ
କହ ହେ ଭଗବାନ?
ନରସିଂହ ରୂପେ ରଖିଲ
ପ୍ରହଲାଦକୁ ହରି
ହିରଣ୍ୟକଶିପୁ ନାଶିଲ
ତୁମେ ସ୍ତମ୍ଭୁ ବାହାରି ।
କୁରୁ ସଭା ତଳେ ଦ୍ରୌପଦୀ
ଡାକ ତୁମେ ଶୁଣିଲ ।
କୋଟି ବସ୍ତ୍ର ଦେଇ ଲଜ୍ଜାକୁ
ନିବାରଣ କରିଲ ।
ଗଜ ଡାକ ଦେଲା ଜଳରେ
ପଡି ନକ୍ର କବଳେ ।
ଚକ୍ର ପେଶି ନକ୍ର ନାଶିଲ
ଉଦ୍ଧରିଲ ତତ୍କାଳେ ।
ହରିଣୀର ଡାକ ଶୁଣିଲ
ଡାକ ଦେଲା ବନରେ ।
ବ୍ୟାଧ ନାଶ କରି ରଖିଲ
ଶିଶୁଙ୍କ ସଙ୍ଗତରେ ।
ଦରିଦ୍ର ସୁଦାମା ଦାରିଦ୍ର୍ଯ
ତୁମେ ହରିଛ ହରି ।
କୋଟି ନିଧି ଦେଇ ଶୁଣିଛ
ପରା ତାର ଗୁହାରି ।
କାହାର ଭରସା ରଖିନ
ବୋଲି କିଏ କହିବ ।
ଶରଣ ରକ୍ଷଣ ନାମକୁ
ଆଉ କିଏ ବହିବ ?
ଭରସା ମୋହର ରଖିବ
ଆହେ ଜଗତନାଥ ।
ଶରଣ ରକ୍ଷଣ ହରି ହେ
ମୁଁ ତ ତୁମ ଆୟତ୍ତ ।
