ଭ୍ରମଣ
ଭ୍ରମଣ
ଭ୍ରମଣ କରିଲେ ସକାଳୁ ସକାଳୁ
ଦେହ ପାଇଁ ଅଟେ ଭଲ,
ସତେଜ ରହିବ ଶରୀର ଆମର
ମନ ରହିବ ପ୍ରଫୁଲ୍ଲ |
ଭ୍ରମଣ କରି ଐତିହାସିକ
ସ୍ଥାନ ରହିଅଛି ଯେତେ,
ପିଲାଙ୍କୁ ପଢ଼ାରେ ସହାୟ ହୋଇବ
ଜ୍ଞାନ ବଢାଇବ ସେତେ |
ଅଜା ଆଈ ଆମ ଭ୍ରମଣ କରନ୍ତି,
ଯେତେକ ତୀରଥ ସ୍ଥାନ,
ମନ ଆତ୍ମା ତାଙ୍କ ଶାନ୍ତି ପାଇଥାଏ,
ସତେଯେ ସ୍ୱର୍ଗ ସମାନ |
ଭ୍ରମରେ ଭ୍ରମର ଭ୍ରମଣ କରିଲେ
ଫୁଲ ଫୁଟି ହସୁଥାଏ,
ପୁଲକିତ ହୋଇ ଏ ଧରଣୀ କୋଳ,
ଅନେକ ଶୋଭା ବଢାଏ |
ଭ୍ରମଣ ଋତୁ ଯେ ଶରତେ ଆରମ୍ଭି
ଶୀତରେ ସମାପ୍ତ ହୁଏ,
ଭ୍ରମଣ କରିଣ ପର୍ଯ୍ୟଟକ ବହୁ
ସ୍ଥାନ ଯେ ଆନନ୍ଦ ପାଏ |
ଦେଶ ବିଦେଶ ଯେ ଭ୍ରମଣ କରନ୍ତି
ଧନୀ ଓ ପଇସା ଵାଲା,
ମନ୍ଦିର ଚାରିପାଖରେ ଭ୍ରମନ୍ତି
ପ୍ରଭୁଙ୍କ ବିଶ୍ଵାସୀ ଚେଲା |
ମଧୁମକ୍ଷୀଟିଏ ଭ୍ରମଣ କରିଣ
ମଧୁ ସଞ୍ଚି ରଖିଥାଏ,
ଜଗତ ଜନଙ୍କ ହିତ ପାଇଁ ତାର
ଭ୍ରମଣ ସାଧିତ ହୁଏ |
କର୍ମବ୍ୟସ୍ତ ଏହି ଜୀବନେ ଆମର
ଶାନ୍ତି ଜମା ମିଳେନାହିଁ,
ଭ୍ରମଣ କରିଲେ ନିହାତି କିନ୍ତୁ,
ସନ୍ତୋଷ ମିଳିବ ଭାଇ |
ସମୟ ଯୋଗାଡ଼ି ସବୁବେଳେ ଟିକେ
ଭ୍ରମଣ ଯେ କରୁଥାଅ,
ଶରୀର, ମନ ରହିବଟି ସୁସ୍ଥ
ଦୀର୍ଘାୟୁ, ନିରୋଗ ରୁହ ||