ଭୋକର ଭୂଗୋଳ
ଭୋକର ଭୂଗୋଳ
ବାଲ୍ୟ ଚପଳତା କୈଶୋର ମୁହୂର୍ତ୍ତ
ମଧୁମୟ ଯଉବନ
ବିଦେଶ ମାଟିରେ ବନ୍ଧାପଡେ କେବେ
ରଙ୍ଗହୀନ ତା'ର ମନ ।
ପରିଚୟ ତା'ର ଖୋଜୁଛି ସେ ଆଜି
ମାଟି ସଙ୍ଗେ ହୋଇ ମାଟି
ରାଜ୍ୟ ବାହାରକୁ ପିଲାଛୁଆ ଧରି
ଦାଦନ ଯାଉଛି ଖଟି ।
ଆଡେଇ ପାରେନି ଦଲାଲ କଥାର
ଲୋଭନୀୟ ଆକର୍ଷଣ
ଛାଡି ଭିଟାମାଟି ରୋଜଗାର ଆଶେ
ପାଏ ସେ କେତେ କଷଣ ।
ଝାଳର ଝୋଟିରେ ଗଢା ହୋଇଥିବା
ଇଟା କହେ ତା'ର କଥା
ସ୍ବାଦହୀନ ପ୍ରେମ, ଶୂନ୍ୟ ମହାଶୂନ୍ୟ
ଭୋକିଲା ବୁକୁର ବ୍ୟଥା ।
ପରିଚୟ କେବେ ଭୋକ ବିକଳରେ
କଟା ପାପୁଲି ଓ ହାତ
ବ୍ୟବଚ୍ଛେଦ ଘରେ ସଢେ ତା'ର ଶବ
ପରିବାର ହନ୍ତସନ୍ତ ।
କିଏ ସେ ବୁଝିବ ଭୋକର ଭୂଗୋଳ
ଦାରିଦ୍ର୍ୟର ଇତିହାସ
ଦୁଃଖଯନ୍ତ୍ରଣାର ଚାବୁକ ପ୍ରହାରେ
ଲିଭି ଯାଇଛି ତା' ହସ ।
****