ଭୋକିଲା ପେଟ
ଭୋକିଲା ପେଟ
ରଜନୀ ମହତ୍ବ ନିରାଶ୍ରୟ ଜାଣେ
ଖୋଲା ନଭ ତଳେ ବସି
ଶୀତଳ ଜୋଛନା ଦେହକୁ ଗହଣା
ଉଦର ନହୁଏ ଖୁସି ।
ସାରା ଦିନ ଯାଏ ଜନ ଗହଳିରେ
ହାତ ପାତି ଏଣେ ତେଣେ
ସୂରୁଜ ଡୁବିଲେ ଜୀବନ ଡୁବଇ
ପ୍ରଭାତୀ ଲେଖନୀ ଭଣେ ।
ଭୋକିଲା ପେଟକୁ ସାରା ସଂସାରରେ
ଜଣେ ଏକା ପଢି ନିଏ
ସେହି ଜନ୍ମଦାତ୍ରୀ ସନ୍ତାନର ଧାତ୍ରୀ
ଜଗତରେ ସାର ସିଏ ।
ମାଗିବା ପୂର୍ବରୁ ଶାଗ ମୁଗ ଅନ୍ନ
ସମ୍ମୁଖରେ ଆଣି ରଖେ
ଆଦରେ ମଥାକୁ ସାଉଁଳାଉ ଥାଏ
ଧନ ମୋର ନାହିଁ ସୁଖେ ।
ଛାତିର ପଞ୍ଜରା ଗଣି ହେଇଛି ରେ
ଖାଇ ନାହୁଁ କେତେ କାଳ
ସେଥିପାଇଁ ତୋର ମା' ମନ ଆଖି
ଆକୁଳରେ ଛଳ ଛଳ ।
ଭୋକିଲା ପେଟକୁ ନବୁଝି ବୋଲନ୍ତି
କାଙ୍ଗଳଟା ମାଗି ଖିଆ
କେମିତି ଆଖିକୁ ତରାଟି ଚାହିଁଛି
ପେଟରେ ମାରିବ ଡିଆଁ ।
ଦୁଃଖି ଜନ ପ୍ରତି କଠୋର ନିଷ୍ଠୁର
ନହୋଇବ କେଉଁ ଦିନ
ଆଜି ଯିଏ ନୃପ କାଲି ସେ ଦରିଦ୍ର
ସାକ୍ଷୀ ଏକା ଭଗବାନ ।
କ୍ଷୁଧାତୁର ମୁଖେ କଟୁ ଭାଷା ଆସେ
ନୁହେଁ ସେ ପ୍ରକୃତ ଭାଷା
ସେ ଭାଷା ମୂଲ୍ୟକୁ ଜାଣି ନନ୍ଦ ସୁତ
ସୁଦାମକୁ କଲେ ଆଶା ।
ଜୀବନରେ କେବେ ଜୁଆର ଆସିବ
କେବେ ତ ଆସିବ ଭଟା
ଦୁଃଖ ଦରିଆରେ ଭାସୁ ଥିବା ବେଳେ
କର ନାହିଁ କେବେ ଥଟ୍ଟା ।
ହୃଦୟରୁ ଯେବେ ଦୟା ମାୟା କରି
ଭୋକିଲାକୁ ଦିଅ ଅନ୍ନ
ସେହି ଆଶୀଷରୁ ଭାଗ୍ୟରେ ତୁମର
ଉଇଁ ଆସୁଥିବ ଜହ୍ନ ।
ଉପହାସ ଯଦି କ୍ଷୁଧାର୍ତ୍ତକୁ କର
ପ୍ରାଣ ହୁଏ ନାରଖାର
ମନ ଚିହ୍ନି ମୁଠେ ଦାନ କରୁ ଥିଲେ
ହସୁ ଥିବ ତୁମ ଘର ।