ଭୋକିଲା ପେଟ
ଭୋକିଲା ପେଟ
ପଲିଥିନ କୁଡ଼ିଆରେ
ଛିଣ୍ଡା ଛପର ଘରେ
ଗ୍ରୀଷ୍ମର ପ୍ରଚଣ୍ଡ ତାତିରେ
ମୁନ୍ଦାଏ ପାଣି ପାଇଁ ଲାଗିଥିବା ଲମ୍ବା ଧାଡିରେ
ସଞ୍ଜବେଳେ ଲିଭି ଯାଉଥିବା କ୍ଳାନ୍ତ ସହରରେ
ନିଗିଡ଼ି ପଡ଼ୁଥିବା ଲତପତ ଝାଳରେ
ଉପବାସରେ ଅଭ୍ୟସ୍ତ ପାକସ୍ଥଳୀରେ
ଆଉଟୁ ପାଉଟୁ ହୁଏ ଜୀଵନ।
ଟଳି ପଡ଼ିଥିବା ଗଛର ଗଣ୍ଡିରେ
ପତ୍ରହୀନ ଗଛ ଗୁଡ଼ାକର ଉତ୍ତପ୍ତ ଲୁହରେ
ପ୍ରକୃତିର ନିରସ ନିଃଶ୍ୱାସ ରେ
ଅସଂଖ୍ୟ ବିଦ୍ରୁପ ଭରା ହସରେ
ଖରାରେ ସିଝୁଥିବା ହୃତପିଣ୍ଡରେ
କଲବଲ ହୋଇ ଜଳୁଛି ଜୀଵନ।
ରାଜନୀତିର ବିଶ୍ୱାସଘାତରେ
କିଛି ଲୋଭୀ କୁକୁରଙ୍କ ଲାଳରେ
ସବୁ କିଛି ଗ୍ରାସ କରିଯିବାର ନିଶାରେ
ଅବେଳରେ ବେଳର ସନ୍ଧାନରେ
ବିକଳ ପ୍ରାଣ ଗୁଡ଼ାକର ରକ୍ତର ହୋଲିରେ
ବେସାହାରା ମଣିଷର ଆଖିର ଲୁହରେ
ଭଦ୍ର ଦାନବ ମାନଙ୍କ ଅତ୍ୟାଚାରରେ
ନିଷ୍ପେସିତ ହେଉଛି ଜୀବନ।
ଗଛର ଗଣ୍ଡିରୁ ଉଙ୍କିମାରୁଥିବା କୁଆଁ ପତ୍ରରେ
ଭଙ୍ଗା କୁଡ଼ିଆକୁ ଯୋଡୁଥିବା ଆଶାର ବତାରେ
ରଜନୀର ଶାନ୍ତ ଶୀତଳ ପବନରେ
ପୁଣି ଜୀଇଁବାର ଆଶା ଓ ବିଶ୍ୱାସରେ
ଅଙ୍କୁରିତ ହେଲାଣି ଜୀଵନ।
ହାରିବାର ଦୁଃଖକୁ ଭୁଲିଯାଇ,
ଯୁଝିବାକୁ ଅଣ୍ଟା ଭିଡ଼େ ଜୀବନ।
ମୁଠାଏ ଭାତର ଭୋକରେ
କେବେ କାମନାର ଦାନବୀ ଭୋକରେ
ଅପରକୁ ଲୁଟି ଲୁଟି
ନିଜ ଭଣ୍ଡାର ପୁରାଇବାର ପାପୀ ଲାଳସାରେ
ଅତ୍ୟାଚାରୀର ରକ୍ତର ଭୋକରେ
ପ୍ରତାରିତ ହୁଏ ଜୀବନ
ତଥାପି ଖୋଜିବସେ ଆଶାର ଯବକାଚ ଧରି
ଏକ ସ୍ୱପ୍ନିଳ କାଲିକୁ ନିରେଖିବା ପାଇଁ
ସେଥିପାଇଁ ବୋଧେ
ସର୍ବଦା ଚଳ ଚଞ୍ଚଳ ଓ ବିଚିତ୍ର ଏ ଜୀବନ।