STORYMIRROR

Kulamani Sarangi

Classics

3  

Kulamani Sarangi

Classics

ବହ୍ନିକନ୍ୟା-୩୫

ବହ୍ନିକନ୍ୟା-୩୫

2 mins
56


ବ୍ରାହ୍ମଣ ବେଶରେ ସ୍ଵୟମ୍ବର ସଭାରେ ପାଣ୍ଡବ

****

ଶ୍ରୀକୃଷ୍ଣ ସ୍ବୟଂ ଏକ ପ୍ରହେଳିକା। ଚକ୍ରୀଙ୍କ ଚକ୍ରାନ୍ତର ଆଭାସ ଜ୍ୟେଷ୍ଠ ଭ୍ରାତା ବଳରାମ ମଧ୍ୟ ପାଆନ୍ତି ନାହିଁ। ପାଣ୍ଡବ ମାନଙ୍କର ଜତୁଗୃହରୁ ପଳାୟନ ସମ୍ବାଦ ବଳରାମଙ୍କୁ ଏ ପର୍ଯ୍ୟନ୍ତ ଜଣାଇ ନାହାଁନ୍ତି ମାଧବ। ସ୍ଵୟମ୍ବର ମଣ୍ଡପରେ ପ‌ହଞ୍ଚିବା ପରେ ହିଁ ବ୍ରାହ୍ମଣମାନଙ୍କ ମେଳରେ ଉପସ୍ଥିତ ଥିବା ପାଣ୍ଡବ ମାନଙ୍କପ୍ରତି ଶ୍ରୀକୃଷ୍ଣ ବଳରାମଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି।ପାଣ୍ଡବ ମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି କାମପାଳ ଏବଂ ସ୍ଵୟମ୍ବର ଆୟୋଜନ ଯେ ତାଙ୍କ ନଟକୁଟିଆ କନିଷ୍ଠ ଭ୍ରାତାର ଚକ୍ରାନ୍ତର ଏକ ଅଂଶ ବିଶେଷ ତାହା ହୃଦୟଙ୍ଗମ କରିପାରିଛନ୍ତି ସେ।  

****


ଦେଖି ଯାଜ୍ଞସେନୀଙ୍କର ସୌନ୍ଦର୍ଯ୍ୟ ଅପୂର୍ବ,

ଉପସ୍ଥିତ ଜନେ ଆସେ ଭିନ୍ନ,ଭିନ୍ନ ଭାବ।

କୃଷ୍ଣଙ୍କୁ ଦିଶିଲେ ବାଳା ସୁଭଦ୍ରାଙ୍କ ଭଳି,

ଶିଶୁପାଳକୁ ଦିଶିଲେ ଯେହ୍ନେ ଉଗ୍ରକାଳୀ।


ଦୁର୍ଯ୍ୟୋଧନ ଭାଳେ ଏ କି ଦୁର୍ଗା ଅବତାର!

କର୍ଣ୍ଣ ଭାଳନ୍ତି ଏ କନ୍ୟା ମୋହିନୀ ସ୍ବର୍ଗର।

ଉପସ୍ଥିତ ପଣ୍ଡୁପୁତ୍ରେ ଦ୍ବିଜଙ୍କ ଗହଣେ,

ଦେଖାଗଲେ ତାଙ୍କୁ ସ୍ବର୍ଗ ଅପ୍ସରା ଯେସନେ।


ବଳରାମଙ୍କୁ ଦିଶିଲେ ନିଜ ଭଗ୍ନୀପରି,

ବିରାଟ ଭାଳନ୍ତି'ଏ ତ ପୁତ୍ରୀ ସମ ସରି।

ଯାହାର ଯେପରି ଭାବ ତାହାକୁ ସେ ଭଳି,

ଦେଖାଗଲେ ଭିନ୍ନ,ଭିନ୍ନ ରୂପେ ରାଜବାଳୀ


ତେଜୋଦୀପ୍ତ ରୂପଦେଖି ରାଜଯେମାଙ୍କର,

ଅର୍ଦ୍ଧ ଶକ୍ତି କ୍ଷୟ ଗଲା ଦୁଷ୍ଟ ରାଜାଙ୍କର।

ଦୁର୍ଗାଙ୍କୁ ଦେଖି ମୋହିତ ମହିଷା ଯେପରି,

ବିମୋହିତ ହେଲେ ଖଳ ଦୁଷ୍ଟ ସେହିପରି।


ଏ ସମୟେ ଧୃଷ୍ଟଦ୍ୟୁମ୍ନ ସମ୍ବୋଧି ସଭାକୁ,

ବୁଝାଇଲେ ଲକ୍ଷଭେଦ ନିୟମ ସଭିଙ୍କୁ।

ପୁଣି ବୋଲନ୍ତି "ଯେ ଉଚ୍ଚକୁଳରେ ସମ୍ଭୂତ,

ଶସ୍ତ୍ର,ଶାସ୍ତ୍ରେ,ବଳ,ବିର୍ଯ୍ୟେ ଅଟେ ରୁଦ୍ଧିମନ୍ତ,।

ଲକ୍ଷ୍ୟଭେଦ ସ୍ପର୍ଦ୍ଧା ଯେବେ ପାରିବ ସେ ଜିଣି,

ଗ୍ରହଣ କରିବ ସେହୁ ଯାଜ୍ଞସେନୀ ପାଣି।"


ସଭା ମଧ୍ୟେ ବସିଥିଲେ ବୀର ଦୁର୍ଯ୍ୟୋଧନ,

ଶଲ୍ୟ,ଜୟଦ୍ରଥ,ଶିଶୁପାଳ ପୁଣି କର୍ଣ୍ଣ।

କୁଣ୍ଡିନ ନଗ୍ରରୁ ଆସିଥିଲେ ରୃକ୍ମ ବୀର,

ଉପସ୍ଥିତ ବିନ୍ଦ,ଅନୁବିନ୍ଦ ଅବନ୍ତିର।

ପୁତ୍ର,ପୌତ୍ର ସଙ୍ଗେ ବସି ମଗଧ କେଶରୀ,

ପୂର୍ବ ରାତ୍ରି କଥା ମନେ ହେଉଥାଏ ଘାରି।


ବ୍ରାହ୍ମଣଙ୍କ ମଧ୍ୟେ ବସିଥିଲେ ପଞ୍ଚବୀର,

ଶୁଭ୍ର ଉପବିତ କନ୍ଧେ ଶୋଭା ସଭିଙ୍କର।

କପାଳେ ଚନ୍ଦନ,ଚିତା,ଗାମୁଛା କାନ୍ଧରେ,

ବସିଥିଲେ ପାଞ୍ଚଭାଇ ଗୋଟିଏ କୋଣରେ।


ରାଜକନ୍ୟା ମୁଖେ ଥିଲା ଦୃଷ୍ଟି ଭାଇଙ୍କର,

"କାହିଁ ଥିଲା ଏ ସ୍ବର୍ଗୀୟ ସୁଷମା ସମ୍ଭାର!"

ଜେମାରୂପ ମଧୁଚକ୍ରେ ସର୍ବେ ହେଲେ ଘାରି,

ମୃଦୁ,ମୃଦୁ ହସୁଥିଲେ ଏକା ଚକ୍ରଧାରୀ।


ପାଣ୍ଡବଙ୍କୁ ଦେଖି କୃଷ୍ଣ ବ୍ରାହ୍ମଣ ମେଳରେ,

ବଳରାମଙ୍କ କର୍ଣ୍ଣରେ କହିଲେ ସଧୀରେ।

"ଦେଖ ଭ୍ରାତା ବଞ୍ଚିଛନ୍ତି ପାଣ୍ଡୁ ପାଞ୍ଚଭାଇ,

ବ୍ରାହ୍ମଣଙ୍କ ମେଳେ ଛଦ୍ମ ବେଶେ ଛନ୍ତି ରହି।"


ଶ୍ରୀକୃଷ୍ଣଙ୍କ ବାକ୍ୟ ଶୁଣି ବୀର କାମପାଳ,

ଆଶ୍ଚର୍ଯ୍ୟ ହୋଇ ଚାହିଁଲେ ବ୍ରାହ୍ମଣଙ୍କ ମେଳ।

"ସନ୍ଦେହ ଏଥିରେ କାହ୍ନା ନାହିଁ ତିଳେମାତ୍ର,

ଏ ଆଶ୍ଚର୍ଯ୍ୟ ପଛେ ନିଶ୍ଚେ ଅଛି ତୋର ହାତ"।


ଶ୍ରୀକୃଷ୍ଣ ବୋଇଲେ "ଭ୍ରାତା,କ୍ଷମ ମୋର ଦୋଷ,

ଦେଇ ନାହିଁ ତୁମ୍ଭଙ୍କୁ ଯା ପାଣ୍ଡବ ସନ୍ଦେଶ।

ଲାକ୍ଷା ଗୃହରୁ ପଳାଇଛନ୍ତି ପଞ୍ଚଭ୍ରାତ,

ଛଦ୍ମବେଶେ ରହିଛନ୍ତି ମାତାଙ୍କ ସହିତ।


ଭିକ୍ଷା ମାଗି ଦ୍ବାରେ,ଦ୍ବାରେ ପୋଷନ୍ତି ଉଦର,

ଉଦ୍ଧାର ପାଇବେ ଜିଣିଲେ ଏ ସ୍ବୟମ୍ବର ।

ମହାମୁନି ବ୍ୟାସଦେବଙ୍କର ମାଧ୍ୟମରେ,

ଦେଇଛି ନିର୍ଦ୍ଦେଶ ମୁହିଁ ପାଣ୍ଡୁ ପାଞ୍ଚ ବୀରେ।

ଦ୍ରୌପଦୀ ସ୍ବୟମ୍ବରରେ ଯୋଗ ଦେବାପାଇଁ,

ବ୍ରାହ୍ମଣ ମେଳରେ ବସିଛନ୍ତି ପାଞ୍ଚ ଭାଇ।"


ଶୁଣି କୃଷ୍ଣବାଣୀ ରୁଷ୍ଟ ହେଲେ ହଳଧର,

ବୋଇଲେ "ଏଡେ କପଟୀ ତୁହି ଚକ୍ରଧର!

ଏଡେ ଗୁରୁତ୍ୱ କଥା ତୁ ରଖିଛୁ ଲୁଚାଇ,

ତୋ ସହିତ ମୋର ଆଉ ବାକ୍ୟାଳାପ ନାହିଁ।"


ଭ୍ରାତାଙ୍କୁ ତୁଷ୍ଟ କରିବା ପାଇଁ ଯଦୁମଣି,

ଅନୁନୟ,ବିନୟେ ଧରିଲେ ପାଦ,ପାଣି।

ଜଣେ ଅନାଦି ଆରେକ ଅଟନ୍ତି ଅନନ୍ତ,

ଦେଖ ଅବତାରେ ଲୀଳା କରନ୍ତି କେମନ୍ତ!


କୃଷ୍ଣଙ୍କ ବିନୟ ଦେଖି ଭାଇ ବଳରାମ,

ତରଳି ଗଲେ ଯେସନେ ଭାନୁ କରେ ହିମ।

ମୃଦୁ କର୍ଣ୍ଣମୋଚନ,ଚପେଟାଘାତ ପରେ,

ଆଲିଙ୍ଗନ କଲେ ଶ୍ରୀକୃଷ୍ଣଙ୍କୁ ସ୍ନେହଭରେ।


କ୍ରମଶଃ..............


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics