STORYMIRROR

Kulamani Sarangi

Classics

3  

Kulamani Sarangi

Classics

ବହ୍ନିକନ୍ୟା (୩)

ବହ୍ନିକନ୍ୟା (୩)

2 mins
109

ଦ୍ରୋଣ-ଦ୍ରୁପଦ କଳହ ବନ୍ଧୁତା ! କେଉଁ ପ୍ରକାର ଏ ବନ୍ଧୁତା ! ବିଦ୍ୟାଶିକ୍ଷା ସମୟର କ୍ଷୀର-ନୀର ସମ୍ପର୍କ କଣ ପାଣିର ବୁଦ୍ବୁଦ ଭଳି ସମୟକ୍ରମେ ଉଭେଇଯିବ, ଧନସମ୍ପତି ଏବଂ ପ୍ରଭୂତ୍ବର ପ୍ରଭାବରେ !ସନାତନ ଧର୍ମର ରକ୍ଷାକାରୀ ଭାବରେ ଆର୍ଯ୍ୟାବର୍ତ୍ତ-ବିଦିତ 'ଯାଜ୍ଞସେନ-ଦ୍ରୁପଦ' କିପରି ଏତେ ଅବିବେକୀ ହୋଇପାରିଲେ? ଯେଉଁ ଦ୍ରୁପଦ, ଗୁରୁକୁଳରେ ଥିବା ସମୟରେ ବନ୍ଧୁ ଦ୍ରୋଣଙ୍କୁ ପ୍ରାଣରୁବଳି ଭଲ ପାଉଥିଲେ ଏବଂ ଚିରଦିନ ଏକତ୍ର ବିତାଇବା ଉଦ୍ଦେଶ୍ୟରେ ରାଜ୍ୟର ଅର୍ଦ୍ଧେକ ଦାନକରିବାର ସଙ୍କଳ୍ପ ନେଇଥିଲେ, ସେ ଆଜି ଧନ ଓ କ୍ଷମତାର ଗର୍ବରେ କିପରି ପ୍ରାଣସମ ବନ୍ଧୁଙ୍କୁ ହେୟଜ୍ଞାନକରି ଅପମାନ ଦେଇପାରିଲେ ! ବିଚିତ୍ର କାଳର ଗତି।ଏହା ଚକ୍ରୀଙ୍କର ଚକ୍ରାନ୍ତ ନୁହେଁ ତ ?ଧର୍ମରକ୍ଷା ଉଦ୍ଦେଶ୍ୟରେ ଧ୍ରୁବିକରଣ ରାଜନୀତିର ଅଂଶ ବିଶେଷ ନୁହେଁ ତ? ବିଚାରୀ ବହ୍ନିକନ୍ୟା,ରାଜନୀତିର ପଶାପାଲିରେ ଏକ "ଗୋଟି" ବ୍ୟତୀତ ଆଉ କଣ କହିପାରିବା ଆମେ ତାକୁ ? ବସିଛନ୍ତି ରାଜ ସଭାରେ ଦ୍ରୁପଦ ନରମଣି, ମଥାରେ ସୁବର୍ଣ୍ଣ ମୁକୁଟ,ଖଚିତ ନାନା ମଣି। ଗହ ଗହ ସଭା କମ୍ପୁଛି,ସେନାପତି,ଅମାତ୍ୟ- ପାରିଷଦ ସଙ୍ଗେ ମନ୍ତ୍ରଣା ରତ ପାଞ୍ଚାଳ ନାଥ। ପଡୁଛି ଆଲଟ ଚାମର,ଭାଟେ ରଟନ୍ତି ସ୍ତବ, ରାଜର୍ଷି ସମାନ ଦିଶନ୍ତି ଦୀପ୍ତ ପାଞ୍ଚାଳ ଧବ। ଦାରିଦ୍ର୍ୟ କଷାଘାତେ ଜର୍ଜରିତ ଦ୍ରୋଣ ବ୍ରାହ୍ମଣ, ମୁଖେ ଶ୍ମଶ୍ରୁ,ଶୀର୍ଣ୍ଣ ଶରୀର ,ଅଙ୍ଗ ବସ୍ତ୍ର ମଳିନ। ଦ୍ରୁପଦଙ୍କ ରାଜପ୍ରାସାଦେ ପହଞ୍ଚି ଋଷିପୁତ୍ର, ରକ୍ଷୀଙ୍କୁ ବୋଲନ୍ତି"ଅଟେ ମୁଁ ତୁମ୍ଭ ରାଜାଙ୍କ ମିତ୍ର। ଜଣାଅ ଯାଇ ଦରବାରେ ଯାଜ୍ଞସେନକୁ ଶୀଘ୍ର, ଅପେକ୍ଷାରେ ଅଛି ସାକ୍ଷାତ ପାଇଁ ହୋଇ ଉଦ୍ଗ୍ରିବ।" ଉପହାସ କରି ବୋଲନ୍ତି ଦ୍ଵାରପାଳ ସମସ୍ତ, "ଭେକରୁ ତ ଜଣା ଯାଉଛି ତୁମ୍ଭେ ରାଜାଙ୍କ ମିତ୍ର। ସଭାକାର୍ଯ୍ୟେ ବ୍ୟସ୍ତ ଅଛନ୍ତି ଏବେ ଆମ୍ଭ ନୃପତି ଶୁଣିଲେ ତୁମ୍ଭ ବାଚାଳତା ପ୍ରକାଶିବେ ବିରକ୍ତି।" ପ୍ରଚଣ୍ଡ କ୍ରୋଧରେ କମ୍ପିଲେ ଭରଦ୍ୱାଜ କୁମର, ବୋଇଲେ 'ମିତ୍ରଙ୍କୁ ଜଣାଇ ପ୍ରାଣ ନେବି ତୁମ୍ଭର।' ବ୍ରାହ୍ମଣଙ୍କ କ୍ରୋଧ ଦର୍ଶନେ ଭୟରେ ଦ୍ଵାରପାଳ, ରାଜ ଦରବାରେ ଦ୍ରୋଣଙ୍କୁ ଘେନି ଗଲେ ଚଞ୍ଚଳ। ଦୂରୁ ଦେଖି ବାଲ୍ୟ ସଖାଙ୍କୁ ନଚିହ୍ନିଲେ ଦ୍ରୁପଦ, ଗୁରୁକୁଳ କଥା କହନ୍ତେ ଶୁଣାଇଲେ ଦି ପଦ। "ହେ ଲୋଭୀ ବ୍ରାହ୍ମଣ କେଉଁ ସାହସେ ଆସିଛ ଧାଇଁ? ଆମ୍ଭେ ରାଜା ତୁମ୍ଭେ ଦରିଦ୍ର ପ୍ରଜା,ହେଜ କି ନାହିଁ?" ନିସ୍ତବ୍ଧ ରାଜ-ଦରବାର, ଦେଖି କ୍ରୋଧ ରାଜାଙ୍କ, ତାଚ୍ଛଲ୍ୟ ବାଣରେ ରକ୍ତାକ୍ତ ହେଲା ବାଲ୍ୟ ସମ୍ପର୍କ। ପାଇ ଅପମାନ ଭାରଦ୍ବାଜ ଯେ କହିଲେ ଗର୍ଜି,* "କ୍ଷମତାରେ ଅନ୍ଧ ହୋଇଛ ତୁମ୍ଭେ ଦ୍ରୁପଦ ଆଜି। ଧାଇଁ ଆସିଥିଲି ସିନା ମୁଁ ମିତ୍ରତାର ମୋହରେ, ଦେଖୁଛି ମିତ୍ରତା ପଡ଼ିଛି କ୍ଷମତାର ଯୂପରେ। ସ୍ମୃତି ବିଭ୍ରମ କି ହୋଇଲା,ସତ୍ୟ ଭୁଲି କି ଗଲ, ରାଜ୍ୟରୁ ଅର୍ଦ୍ଧେକ ଦେବାକୁ କହିଥିଲ ପାଞ୍ଚାଳ। ଭିକ୍ଷୁକ ବ୍ରାହ୍ମଣ ନୁହେଁ ମୁଁ ତଣ୍ଡୁଳ ଲୋଡାନାହିଁ। କଥାରଖି ଦିଅ ଅର୍ଦ୍ଧେକ ରାଜ୍ୟ,ଯିବି ପଳାଇ।" ଦ୍ରୁପଦ ବୋଇଲେ"ବ୍ରାହ୍ମଣ ହୋଇ ନୃପତି ଆଶା ! ନିଜ ବାହୁବଳେ ପୂରଣ କର ସେହି ଦୁଃରାଶା। ପାଞ୍ଚାଳ ମୋ ନୁହେ ତଣ୍ଡୁଳ ,ଦେବି ଯାଚକ ଥାଳେ, ସ୍ଥାପନା କରିଛି ଏ ରାଜ୍ୟ,ମୁଁ ମୋର ବାହୁବଳେ। ଅଛି ଯେବେ ଶକ୍ତି ପାଞ୍ଚାଳ ଜୟକର ବ୍ରାହ୍ମଣ, ବୀରଭୋଗ୍ୟା ଏହି ଧରିତ୍ରୀ,ତାହା ଭଲେ ତ ଜାଣ।" ରକ୍ତାଭ ନୟନ ବ୍ରାହ୍ମଣ,କମ୍ପିତ କଳେବର ବୋଇଲେ "ଦୁର୍ଭାଗ୍ୟ କିପାଇଁ ଡାକ ହେ ନରବର? ପ୍ରତିଜ୍ଞା ନକଲେ ପାଳନ ,ପରିଣାମ ଭୋଗିବ, ମୋର କ୍ରୋଧାନଳେ ତୋ ରାଜ୍ୟ ଭସ୍ମୀଭୂତ ହୋଇବ।" ପାଲଟା ବାକ୍ୟରେ ଦ୍ରୁପଦ ବୋଇଲେ "ଦ୍ୱିଜବର, ବିଭ୍ରମିତ-ମତି, ଅଯଥା ବାକ୍ୟାଳାପ ନକର। ପ୍ରାଣେ ଆଶା ଥିଲେ ଏସ୍ଥାନ ଛାଡି ଯାଅ ପଳାଇ, ବ୍ରହ୍ମହତ୍ୟା ଦୋଷ ଲାଗିବ,ହତ୍ୟା କରିବି ନାହିଁ। ଥିଲ ମିତ୍ର ବୋଲି କହୁଛ, ତେଣୁ ମୁଁ ଦୟା କରି, ମୁଣ୍ଡ ରକ୍ଷାକଲି ,ପଳାଅ ପାଞ୍ଚାଳ ତ୍ୟାଗକରି।" ରାଗେ କମ୍ପମାନ ଶରୀର ଭରଦ୍ବାଜ ନନ୍ଦନ, ପାଞ୍ଚାଳ ଛାଡିଲେ ଶାର୍ଦ୍ଦୁଳ ସମ କରି ଗର୍ଜ୍ଜନ। ଉର୍ଦ୍ଧ୍ବେ ବାହୁ ତୋଳି ପଥରେ କରୁଥାନ୍ତି ପ୍ରତିଜ୍ଞା, "ପ୍ରତିଫଳ ଦେବି ଦ୍ରୁପଦ,କଲୁ ଯେଉଁ ଅବଜ୍ଞା। ବାହୁବଳେ ଅର୍ଦ୍ଧେ ରାଜ୍ୟ ତୋ ଦିନେ ନେବି ଛଡାଇ, ପାଦେ ପଡି ଭିକ୍ଷା ମାଗିବୁ ପ୍ରାଣ ପାଞ୍ଚାଳ ସାଇଁ।" ଏତେ ବୋଲି ଦ୍ରୋଣ ନଫେରି ନିଜ ଆଶ୍ରମ ପଥେ, ମହେନ୍ଦ୍ର ଗିରିରେ ମିଳିଲେ ପର୍ଶୁରାମ ଅଗ୍ରତେ। * ଭାରଦ୍ବାଜ:---ଭରଦ୍ବାଜଙ୍କ ପୁତ୍ର କ୍ରମଶଃ........


Rate this content
Log in

Similar oriya poem from Classics