ବହ୍ନିକନ୍ୟା- ୨୫
ବହ୍ନିକନ୍ୟା- ୨୫
କୁନ୍ତୀଙ୍କର ସ୍ମୃତି ଚାରଣ
**********
ଏକଚକ୍ର ନଗରୀରେ କୁନ୍ତୀ ଏକାନ୍ତରେ ବସି ଅତୀତ ରୋମନ୍ଥନରେ ମଗ୍ନ ଅଛନ୍ତି।ଆଖି ଆଗରେ ଭାସିଯାଉଛି ପଣ୍ଡୁଙ୍କ ସହିତ ବନ ପ୍ରାନ୍ତରେ ବିତିଥିବା ଦୁଃଖପୂର୍ଣ୍ଣ ଜୀବନ;ତାଙ୍କର ଏବଂ ମାଦ୍ରୀଙ୍କର ମାତୃତ୍ଵ ଅଭିଳାଷା ତଥା ସ୍ବାମୀଙ୍କର ସମ୍ମତି ଲାଭକରି,ଦୁର୍ବାସା-ଦତ୍ତ ମାଳା ପ୍ରୟୋଗକରି ଦେବଦତ୍ତ ସନ୍ତାନ ପ୍ରାପ୍ତିର ସମସ୍ତ ଘଟଣାବଳୀ। ସେଠାରେ କୁନ୍ତୀ ଲାଭକରିଛନ୍ତି ଧର୍ମ,ବାୟୁ ଏବଂ ଇନ୍ଦ୍ର ଦେବତାଙ୍କ ଔରସରୁ ଧର୍ମାତ୍ମା ଯୁଧିଷ୍ଠିର,ମହାବଳୀ ଭୀମସେନ ଏବଂ ବିଶ୍ବଶ୍ରେଷ୍ଠ ଧନୁର୍ଦ୍ଧର ଅର୍ଜୁନଙ୍କ ସଦୃଶ ପୁତ୍ର ସନ୍ତାନ।ମାଳାର ପ୍ରୟୋଗକରି ମାଦ୍ରୀ ମଧ୍ୟ ଅଶ୍ବିନୀ କୁମାରଙ୍କ ଆଶୀର୍ବାଦରୁ ଲାଭ କରିଛନ୍ତି ନକୁଳ ଏବଂ ସହଦେବଙ୍କ ଭଳି ଧୀମାନ୍ ପୁତ୍ରସନ୍ତାନ।
କିଛି ସମାଲୋଚକ ପାଣ୍ଡବ ମାନଙ୍କର ଜନ୍ମ ବୃତ୍ତାନ୍ତକୁ ନେଇ ନୀତିଗତ ପ୍ରଶ୍ନ ଉତ୍ଥାପନ କରନ୍ତି ଏବଂ ପାଣ୍ଡବ ମାନଙ୍କୁ ଜାରଜ ସନ୍ତାନ ଭାବେ ଚିତ୍ରିତ କରନ୍ତି।କିନ୍ତୁ ବାସ୍ତବରେ ଆମ୍ଭେମାନେ ସେ ସମୟର ସାମାଜିକ ନୀତି ନିୟମକୁ ବର୍ତ୍ତମାନର ସାମାଜିକ ମାପଦଣ୍ଡରେ ମାପିବା ଅନୁଚିତ।ସେତେବେଳେ ବଂଶ ରକ୍ଷାପାଇଁ ସ୍ୱାମୀର ଅନୁମତିରେ "ନିଯୋଗ ବିଧାନ" ଅନୁସାରେ ପୁତ୍ର ଲାଭକୁ ସମ୍ପୂର୍ଣ୍ଣ ନୀତିଗତ ଧରାଯାଉଥିଲା।ସେହି ନିୟମ ଅନୁସାରେ ନିଯୋଗ ବିଧିରେ ବ୍ୟାସଙ୍କ ଔରସରୁ ଅମ୍ବିକା ଏବଂ ଅମ୍ବାଳିକାଙ୍କ କୋଳରୁ ଜନ୍ମ ନେଇଥିଲେ ଧୃତରାଷ୍ଟ୍ର ଏବଂ ପଣ୍ଡୁ।ତେଣୁ କୁନ୍ତୀଙ୍କ କାର୍ଯ୍ୟରେ, ତତ୍କାଳୀନ ସାମାଜିକ ବିଧାନ ଦୃଷ୍ଟିରୁ କିଛି ଅନୈତିକତା ନଥିଲା।
ଆଧୁନିକ ଯୁଗର surrogate ମାତୃତ୍ଵ ସହିତ ତାହା ସମାନ ଥିଲା ବୋଲି କୁହାଯାଇପାରେ। କାୟ-ମନ-ବାକ୍ୟରେ ପଣ୍ଡୁଙ୍କ ପ୍ରତି ସମର୍ପିତା ଏବଂ ଅନୁରକ୍ତା କୁନ୍ତୀ ଓ ମାଦ୍ରୀଙ୍କ ଚରିତ୍ରକୁ ଆମ୍ଭେମାନେ ଆମ ଚିନ୍ତାଧାରାର ଜବକାଚରେ ନିରୀକ୍ଷଣ କରି ଚରିତ୍ର ପତ୍ର ପ୍ରସ୍ତୁତ କରିବା ଅନୁଚିତ।
====
ବେନି ପଣ୍ଡୁ ରାଣୀ ସନ୍ତାନ ଅଭାବେ ପାଉଥିଲେ ଘୋର ବ୍ୟଥା,
କର୍ତ୍ତବ୍ୟ ବିମୂଢ ଥିଲେ ନରବର ବୁଝିଲେ ବି ମନ କଥା।
ପତ୍ନୀ ସହ ହେବ ସଂଗମ ପଣ୍ଡୁଙ୍କ ଶେଷଦିନ ଧରାତଳେ,
ଋଷି ଶାପ କଥା ଭାଳି ରାଜାଙ୍କର ହୃଦ ନିରନ୍ତର ଜଳେ।
ବିଷର୍ଣ୍ଣ ମନରେ ବସିଥିଲେ ଦିନେ କୁନ୍ତୀ,ମାଦ୍ରୀ ଆଶ୍ରମରେ,
ମୁନିଶ୍ରେଷ୍ଠ ବ୍ୟାସ ପହଞ୍ଚିଲେ ପୁତ୍ର ପଣ୍ଡୁ ଦର୍ଶନ ଆଶାରେ।
ସାଦରେ ପୂଜିଲେ ମୁନିଙ୍କ ପୟର ପଣ୍ଡୁ ସଙ୍ଗେ ବେନି ରାଣୀ,
ଆଶୀର୍ବାଦ ପାଇ କୃତକୃତ୍ୟ ହେଲେ କୁରୁବଂଶୀ ଧୀରମଣି।
ବୋଲନ୍ତି କୁନ୍ତୀଙ୍କୁ କୃଷ୍ଣ ଦ୍ବୈପ୍ୟାୟନ ଅଜ୍ଞାତ ନାହିଁ ମୋହର,*
ଜୀବନେ ତୋର ମା' ଋଷି ଅଭିଶାପ ଆଣିଛି ତିମିର ଘୋର।
ଯା'ବିଧି ବିଧାନ ତାକୁ କେବା ଆନ କରିପାରିବ ଗୋ ପୃଥା ?
ନାହିଁ ଉପଶମ ନାରୀ ଜୀବନରେ ଆସିଲେ ବାତ୍ସଲ୍ୟ ବ୍ୟଥା।
ବୋଇଲେ ରାଜନ "ହୋଇ ପୁତ୍ରହୀନ କେମନ୍ତେ ଜିଇଁବି ପ୍ରାଣ?
ମୃତ୍ୟୁଠାରୁ ବଳି ହୋଇବ ଜୀବନ କର ତା'ପାଇଁ କାରଣ।
ପୁତ୍ ନର୍କରୁ କେ ଉଦ୍ଧାର କରିବ, କିଏ ଦେବ ପିଣ୍ଡପାଣି?
କୁରୁବଂଶ ରକ୍ଷା କରିବ କିଏସେ ,କୁହ ମୁନି ଧୀରମଣି।"
କୃଷ୍ଣଦ୍ବୈପ୍ୟାୟନ ହୋଇଲେ ମଉନ କିଛିକ୍ଷଣ ଗାମ୍ଭୀର୍ଯ୍ୟରେ,
କହିଲେ ତତ୍ପରେ "ଶୁଣ ପୁତ୍ର ବାରେ ଯା'ଲେଖା ଅଛି ଶାସ୍ତ୍ରରେ।
ବଂଶ ରକ୍ଷା ପାଇଁ ସ୍ବାମୀ ଆଜ୍ଞାନେଇ ପତ୍ନୀ "ନିଯୋଗ" ବିଧିରେ,
ପୁତ୍ରଲାଭ ପାଇଁ ଇପ୍ସିତ ପୁରୁଷେ ସହବାସ କରିପାରେ।
ସେପରି ବିଧାନ ନୁହେ ଅନୈତିକ ଥିଲେ ସ୍ବାମୀର ସମ୍ମତି,
ଏପରି ଦୃଷ୍ଟାନ୍ତ ରହିଛି ଅନେକ ଜାଣ ପଣ୍ଡୁ ମହାମତି।
ମୁନିଶ୍ରେଷ୍ଠ ବ୍ୟାସ ପ୍ରସ୍ଥାନ କରନ୍ତେ କୁନ୍ତୀଙ୍କୁ ପାଶେ ବସାଇ,
ବୁଝାଇ ନରେଶ କହିଲେ ନିଯୋଗ ବିଧି ଆଚରିବା ପାଇଁ।
କର୍ଣ୍ଣେ ହସ୍ତ ଦେଇ ପୃଥା ଥିଲେ କହି "ଏ କି କଥା ଦିଅ କହି,
ସ୍ବାମୀ ଛଡା ଅନ୍ୟ ପୁରୁଷ ଭାବନା ମହାପାପ ନାରୀ ପାଇଁ।
ଯେଉଁ ଦିନଠାରୁ ତୁମ୍ଭ ରାଣୀ ହୋଇ ଆସିଲି ହସ୍ତିନା ପୁରେ,
ତୁମ୍ଭଛଡା ଅନ୍ୟ ପୁରୁଷ ଭାବନା ଆସିନାହିଁ ବି ସ୍ବପ୍ନରେ।
ନପାରିବି ତୁମ୍ଭ କଥା ରଖି ପଛେ ବନ୍ଧ୍ୟାହେବି ଜୀବନରେ,
ବ୍ୟଭିଚାରୀହୋଇ ଲୋକଲଜ୍ୟାନେଇ ବଞ୍ଚିବି କି ଏ ସଂସାରେ?
ପୃଥାଙ୍କ ମଥାରେ ହସ୍ତ ରଖି ପଣ୍ଡୁ ବୋଲନ୍ତି ସସ୍ନେହ ବାଣୀ,
"ତୁମ୍ଭ ପାତିବ୍ରତ୍ୟ କେବେ କଳଙ୍କିତ ନହେବ ହସ୍ତିନା ରାଣୀ।
ଶୁଣିଲତ ତାହା କହିଗଲେ ଯାହା ଦ୍ବୈପ୍ୟାୟନ ମହାମତି,
ଅବିଧାନ ନୁହେ "ନିଯୋଗ କରଣ" ଥିଲେ ସ୍ବାମୀ ଅନୁମତି।
ଜାଣିଛତ ପୃଥା କୁରୁବଂଶ କଥା ବିଚିତ୍ରବିର୍ଯ୍ୟଙ୍କ ପରେ,
ପୁତ୍ରହୀନ ହେଲା କୁରୁବଂଶ କେହି ନଥିଲେ ସିଂହାସନରେ।
ଭୀଷ୍ମ କରିଥିଲେ ପଣ ସିଂହାସନ ନକରିବେ ଆରୋହଣ,
ପଣ ରକ୍ଷା ପାଇଁ ବିବାହ ପାଇଁ ସେ କରିଦେଲେ ପ୍ରତ୍ୟାଖ୍ୟାନ।
ଅମ୍ବିକା ଓ ଅମ୍ବାଳିକାଙ୍କର ପାଣି ଗ୍ରହଣ କରିବା ପାଇଁ,
ଅନୁରୋଧ କଲେ ସତ୍ୟବତୀ କିନ୍ତୁ ଗାଙ୍ଗେୟ ମାନିଲେ ନାହିଁ।
କୁରୁବଂଶ ରକ୍ଷାପାଇଁ ରାଜମାତା ଡକାଇ ପୁତ୍ର ବ୍ୟାସଙ୍କୁ,
କଲେ ଅନୁରୋଧ ସେ କୁଳବଧୂଙ୍କୁ ପୁତ୍ରଦାନ କରିବାକୁ।
ଦୁଇ ରାଜବଧୂ ସଙ୍ଗେ ମହାମୁନି ବ୍ୟାସ ନିଯୋଗ ବିଧିରେ,
ଦାନ କରିଥିଲେ ଦୁଇ ରାଜପୁତ୍ର ବଂଶରକ୍ଷା ଉଦ୍ଦେଶ୍ୟରେ।
ସେ ମହାମୁନିଙ୍କ ଏକ ପୁତ୍ର ମୁହିଁ ଅନ୍ୟ ଭ୍ରାତା ଧୃତରାଷ୍ଟ୍ର,
ଭାଗ୍ୟଦୋଷେ ଆଜି ମୁହିଁ ବନଚାରୀ,ଭ୍ରାତା ପାଳୁଛନ୍ତି ରାଷ୍ଟ୍ର।
ତେଣୁ ତୁମ୍ଭେ ପୃଥା,ନଭାଳ ଅନ୍ୟଥା ଦେଲି ଅନୁମତି ମୁହିଁ,
ନିଯୋଗ ବିଧାନ କଥା ଚିନ୍ତାକର ମୋର ବଂଶ ରକ୍ଷାପାଇଁ।"
ସ୍ବାମୀଙ୍କର ବାଣୀ ଶୁଣିପଣ୍ଡୁରାଣୀ ବୋଇଲେ"ମୋ ବାଲ୍ୟକାଳେ,
ଥିଲି ପିତ୍ରାଳୟେ ଏକଦା ଦୁର୍ବାସା ରାଜପୁରେ ପହଞ୍ଚିଲେ।
କ୍ଷଣକୋପୀ ମୁନିଙ୍କର ସେବାପାଇଁ ପିତା ଥିଲେ ଆଜ୍ଞା ବିହି,
ମନପ୍ରାଣ ଦେଇ ମୁନିଙ୍କ ସେବାରେ ସମର୍ପିତା ଥିଲି ମୁହିଁ।
ଅତ୍ୟନ୍ତ ପ୍ରସନ୍ନ ହୋଇ ମୋ ଉପରେ ମୁନି ଦେଲେ ଏକ ମାଳା,
ବୋଇଲେ ଯାହାକୁ ଇଚ୍ଛା ତୁ କରିବୁ ନିମନ୍ତ୍ରି ପାରିବୁ ବାଳା।
ମାଳାଧରି ମନ୍ତ୍ରପଢି ନିମନ୍ତ୍ରିଲେ ସ୍ବର୍ଗୁ ମଧ୍ୟ ଦେବ ଗଣ,
ଆସି ବିଳସିବେ ତୋ ସଙ୍ଗେ ସୁଶୀଳେ,ଏମନ୍ତ ଏ ମାଳା ଗୁଣ।"
ଶୁଣି ରାଣୀବାଣୀ ପଣ୍ଡୁ ନରମଣି ବୋଇଲେ ଆନନ୍ଦ ହୋଇ,
ଅନୁମତି ଦେଲି ରାଣୀ ମୁଁ ତୁମ୍ଭଙ୍କୁ ଦେବତା ବରଣ ପାଇଁ।"
ସ୍ବାମୀ ସମ୍ମତିରେ ନିଯୋଗ ବିଧିରେ,କୁନ୍ତୀ ପାଣ୍ଡୁ ପାଟ୍ଟରାଣୀ,
ଏକ ପରେ ଏକ କରି ଆମନ୍ତ୍ରିଲେ ଧର୍ମ,ବାତ,ଇନ୍ଦ୍ର ପୁଣି।
ସେହି ଦେବତାଙ୍କ ଆଶୀର୍ବାଦ ନେଇ ଜନମିଲେ ତିନି ବୀର,
ଧର୍ମ ଯୁଧିଷ୍ଠିର,ଭୀମ ମହାବୀର,ଧନଞ୍ଜୟ ଧନୁର୍ଦ୍ଧର।
ଧର୍ମରାଜଙ୍କର ସୁତ ଯୁଧିଷ୍ଠିର,ଭୀମସେନ ବାତ ସୁତ,
ଇନ୍ଦ୍ରଙ୍କ ନନ୍ଦନ ବୀର ଧନଞ୍ଜୟ ସୂର୍ଯ୍ୟସମ ତେଜୋବନ୍ତ।
ଦୁର୍ବାସାଙ୍କ ମାଳା ପ୍ରୟୋଗ କରିଲେ ମାଦ୍ରୀ ନେଇ ଅନୁମତି,
ଅଶ୍ବିନୀ କୁମାର ଆଶୀର୍ବାଦେ ଜନ୍ମ ଦୁଇପୁତ୍ର ଦିବ୍ୟକାନ୍ତି।
ଯମଜ ସନ୍ତାନ ସେଦୁହେଁ ନକୁଳ ,ସହଦେବ ନାମେ ଖ୍ୟାତ,
ଗହନ କାନନେ ପାଞ୍ଚ ରାଜପୁତ୍ର ବଢନ୍ତି ଚନ୍ଦ୍ର ଯେମନ୍ତ।
ଗଡି ଯାଉଥିଲା ସମୟ ଆନନ୍ଦେ ବନପ୍ରାନ୍ତେ ସଭିଙ୍କର,
ଅଦୃଷ୍ଟ ନିର୍ଦ୍ଦେଶେ ପଣ୍ଡୁ ହୃଦେ ଦିନେ ଜାଗିଲା ପ୍ରୀତି ଅପାର।
ସହଜେ ସେଦିନ ବାସନ୍ତୀ ମଳୟ ବହୁଥିଲା ମନ୍ଦ ମନ୍ଦ,
ହୃଦୟେ ପୁଲକ ଜାଗିଲା, ନରେଶ କାମଭୋଳେ ହେଲେ ଅନ୍ଧ।
ନପାରିଲେ ରୋକି ପ୍ରେମର ପ୍ଲାବନ ଧର୍ଯ୍ୟହୀନ ହେଲେ ନୃପ,
ମାଦ୍ରୀସଙ୍ଗେ ପ୍ରେମରଙ୍ଗେ ମାତିଗଲେ ଭୁଲିଯାଇ ମୁନି ଶାପ।
ତତକ୍ଷଣେ ପ୍ରାଣବାୟୁ ଉଡିଗଲା,ପଣ୍ଡୁ ହେଲେ ସ୍ବର୍ଗଗାମୀ,
ଦୁଃଖର ଅଥଳ ସାଗରେ ଭାସିଲେ ବନେ ଦୁଇ ରାଜରାଣୀ।
ରାଜାଙ୍କ ନିଧନ ପାଇଁ ନିଜେ ଦାୟୀ ମଦ୍ରନନ୍ଦିନୀ ବିଚାରି,
ସ୍ବାମୀଙ୍କ ଚିତାରେ ମାଦ୍ରୀ ଦେଲେ ନିଜ ପ୍ରାଣ ବିସର୍ଜନ କରି।
ଗଲାବେଳେ କୁନ୍ତୀହସ୍ତେ ସମର୍ପିଲେ ନକୁଳ ,ସହଦେବଙ୍କୁ,
ନିଜପୁତ୍ରଠାରୁ ଅଧିକ ଯତନେ ପାଳିଲେ କୁନ୍ତୀ ଦୁହିଁଙ୍କୁ।
ପଣ୍ଡୁ ମୃତ୍ୟୁବାର୍ତ୍ତା ବନଅଗ୍ନି ସମ ବ୍ୟାପିଗଲା ହସ୍ତିନାରେ,
ରାଜା ଗୁଣ ଗୁଣି ପ୍ରଜାଏ ଭାସିଲେ ଅଥଳ ଦୁଃଖ ସାଗରେ।
ଶୋକମଗ୍ନ ହେଲେ ରାଜ ଅବରୋଧେ ଧୃତରାଷ୍ଟ୍ର ନରମଣି,
କାନ୍ଦନ୍ତି ବିଦୂର ପୁଣି ସତ୍ୟବତୀ ସଙ୍ଗେ ପ୍ରାସାଦ ରମଣୀ।
କୋହ ସମ୍ବରଣକରି ଉତ୍ତରୀୟେ ପୋଛି ନେତ୍ରୁ ଅଶ୍ରୁଧାର,
ସଭିଙ୍କୁ ସାନ୍ତ୍ବନା ଦେଉଥିଲେ ଭୀଷ୍ମ,କୁଳବୃଦ୍ଧ ହସ୍ତିନାର।
ପାଞ୍ଚପୁତ୍ରଧରି କୁନ୍ତୀ ଯେବେ ଫେରି ଆସିଲେ ରାଜନବରେ,
ସବୁ ନୂଆ ନୂଆ ଲାଗୁଥିଲା ତାଙ୍କୁ,ଅନେକ ବର୍ଷ ଉତ୍ତାରେ।
କୃଷ୍ଣ ଦ୍ବୈପ୍ୟାୟନ...ବ୍ୟାସଦେବ
କ୍ରମଶଃ............
