ବହ୍ନିକନ୍ୟା (୨୩)
ବହ୍ନିକନ୍ୟା (୨୩)


ହିଡିମ୍ବାଙ୍କର ଅଭିମାନ ଅମୂଳକ ବା କାରଣ ବିହୀନ ନଥିଲା।ରାକ୍ଷାସାବର୍ତ୍ତର ରାଜା ହିଡିମ୍ବର ମୃତ୍ୟୁପରେ ହିଡିମ୍ବା, ମହାବଳୀ ବୃକୋଦରଙ୍କ ପ୍ରେମରେ ପଡିଯାଇଥିଲେ ଏବଂ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।ବୃକୋଦର ମଧ୍ୟ ଅନୁରୂପ ଇଚ୍ଛା ପୋଷଣ କରିଥିଲେ।କିନ୍ତୁ ମାତା କୁନ୍ତୀ ହିଡିମ୍ବାଙ୍କୁ ପୁତ୍ର ବଧୂର ଆସନ ଦେବାକୁ ଚାହୁଁ ନଥିଲେ।କାରଣ ସୁସ୍ପଷ୍ଟ...ହିଡିମ୍ବା ରାକ୍ଷସ କନ୍ୟା ଥିଲେ ଏବଂ ମାଂସ ଭକ୍ଷଣ କରୁଥିଲେ। ଏଣୁ ଆର୍ଯ୍ଯକୁଳର ସଂସ୍କାର ତାଙ୍କଠାରେ ନଥିଲା ବୋଲି କୁନ୍ତୀ ମନେ କରୁଥିଲେ।
କୁନ୍ତୀଙ୍କର ମନୋଭାବ ହିଡିମ୍ବାଙ୍କୁ ଅଗୋଚର ନଥିଲା।ତେଣୁ ସେ ସ୍ଥିର କରି ନେଇଥିଲେ, ହସ୍ତିନା ରାଜପ୍ରାସାଦ ଯିବାକଥା ଭୁଲିଯାଇ, ରାକ୍ଷସାବର୍ତ୍ତରେ ସାମ୍ରାଜ୍ଞୀ ହୋଇ ରହିଯିବେ। କିନ୍ତୁ ଭୀମସେନଙ୍କ ଔରସରୁ ସେ ରାକ୍ଷାସାବର୍ତ୍ତ ପାଇଁ ଉତ୍ତରାଧିକାରୀଟିଏ ଚାହୁଁ ଥିଲେ। ପୁତ୍ର ସନ୍ତାନଟିଏ ଜନ୍ମ ହେବା ପରେ ବୃକୋଦର ନିଜ ପରିବାରରକୁ ଫେରିଯିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ରକ୍ଷ ରାଜକୁମାରୀ।
ବିରୋଚନ(ଘଟୋତ୍କଚ) ଜନ୍ମ ହେବା ପରେ ଭୀମଙ୍କର ବିଦାୟ ସମୟ ଉପସ୍ଥିତ ହେଲା।ଇତି ମଧ୍ୟରେ ଶାକାହାରୀ ଭୀମଙ୍କ ପ୍ରଭାବରେ ହିଡିମ୍ବା ମଧ୍ୟ ଶାକାହାରୀ ପାଲଟି ଯାଇଥିଲେ। କିନ୍ତୁ କୁନ୍ତୀଙ୍କର ମନୋଭାବରେ କିଛି ପରିବର୍ତ୍ତନ ଆସି ନଥିଲା।
ମହାବଳୀ ଭୀମସେନ ରାକ୍ଷାସାବର୍ତ୍ତ ଛାଡ଼ିବା ପୂର୍ବରୁ ହିଡିମ୍ବାଙ୍କୁ ସଙ୍ଗରେ ଯିବାପାଇଁ ଅନୁରୋଧ କରିଥିଲେ।ସେ ଅନୁରୋଧକୁ ସବିନୟ ପ୍ରତ୍ୟାଖ୍ୟାନ କରିଥିଲେ ହିଡିମ୍ବା।
ଦ୍ବିତୀୟ ପାଣ୍ଡବ ସିନା ଚାଲିଗଲେ, କିନ୍ତୁ ରକ୍ଷକନ୍ୟାଙ୍କ ମନ ଅଭିମାନରେ ଭରି ଉଠିଲା।
********************************************
ଭୀମଙ୍କ ପ୍ରସ୍ଥାନେ ରକ୍ଷକନ୍ୟା*ମନେ
କୋହ ଉଠିଲା ଉଛୁଳି,
ବିଚାରିଲେ ମନେ ଆଉ ସତେ ଦିନେ
ଫେରିବେ କି ମହାବଳୀ !
"ଭାଗ୍ୟ ବିଡମ୍ବନା ହେଲା ବୋଲି ସିନା
ରକ୍ଷ କୁଳେ ହେଲି ଜାତ,
ସେଥିପାଇଁ ଆର୍ଯ୍ୟକୁଳ ମାତା କୁନ୍ତୀ
ସ୍ନେହରୁ କଲେ ବଞ୍ଚିତ।
ଭୀମ ମହାବଳୀ ତାଙ୍କୁ ପ୍ରେମେ ଭଳି
ବିଭାହେଲେ ଯେଉଁଦିନ,
ମନେ ସ୍ଥିର କଲେ କୁନ୍ତୀ ନଦେବାକୁ
ତାଙ୍କୁ କୁଳବଧୂ ସ୍ଥାନ।
ଆର୍ଯ୍ୟ ପରିବାର ସଂସ୍କାର ତାଙ୍କର
ନାହିଁ ବୋଲି ଘୃଣାକରି,
'ମାଂସ ଭକ୍ଷୀ କେହ୍ନ ବଧୂହେବ' କହି
ପାଶୁଁ ଦେଲେ ଦୂରକରି।
ତେଣ
ୁ ମହାବଳୀ ସଙ୍ଗେ ରକ୍ଷବାଳୀ
ନ ଇଚ୍ଛିଲେ ଯିବା ପାଇଁ,
ମନ କଥା ମନେ ରଖି ରାଜକନ୍ୟା
ରହିଲେ ମଉନ ହୋଇ।
ସ୍ବାମୀଙ୍କ ମନରେ ନଦେବାକୁ କଷ୍ଟ,
କହିଲେ ଛଳନା କରି,
"ରାକ୍ଷସ ରାଜ୍ୟକୁ କିଏ ସମ୍ଭାଳିବ,
ମୁଁ ଗଲେ ବୀର କେଶରୀ?"
ଭାଳନ୍ତି ହିଡିମ୍ବା ଯୁଗେ ଯୁଗେ ଅବା
ରହିବ ଏ ଭେଦଭାବ,
ଉଚ୍ଚ,ନିଚ ମାନସିକତାରୁ ସତେ
ଦୂର ନହେବ ମାନବ !!
ଶାକାହାରୀ ହୋଇଅଛି ପୁତ୍ରବଧୂ
ଏକଥା ଜାଣନ୍ତି କୁନ୍ତୀ,
ତଥାପି ଆଶ୍ଚର୍ଯ୍ୟ, ହିଡିମ୍ବାଙ୍କୁ ବଧୂ-
ଆସନ ଦେଇ ନାହାନ୍ତି।
ସେହି କୁନ୍ତୀ ପୁଣି ଧୀବର କନ୍ୟାର
ପୁତ୍ର କୃଷ୍ଣ-ଦ୍ବାପ୍ୟାୟନେ
ସମ୍ମାନର ଶୀର୍ଷ ଆସନେ ବସାଇ,
ପୂଜୁଛନ୍ତି ନିଶି ଦିନେ।
କୌରବ ପ୍ରମାତାମହୀ ସତ୍ୟବତୀ
ନିଜେ ତ ଧୀବର ବାଳୀ,
ତାଙ୍କ ପାଦପୂଜା କରିଥାନ୍ତି ପୃଥା,
ନେଇ ଚରଣର ଧୂଳି।"
ଯେତିକି ଭାବନ୍ତି ହିଡିମ୍ବା,ମନରେ
ଅଭିମାନ ଯାଏ ଭରି,
ଭାଗ୍ୟଦୋଷ ଭାଳି,ସ୍ବ କର୍ମ ଆଦରି,
ରହିଲେ ରକ୍ଷ ସୁନ୍ଦରୀ।
ଏ ସମୟେ ପୁତ୍ର ବିରୋଚନ,
ମା' ବୋଲି ହୃଦେ ଗଲା ଜଡି,
ଚିନ୍ତା ରାଇଜରୁ ଫେରି ରକ୍ଷସୁତା,
ପୁତ୍ରେ ନେଲେ କୋଳେ ଭିଡି।
ବୋଇଲେ "ତୁ ପାଣ୍ଡୁ କୁଳର ରତନ,
ମାଆ ତୋ ଦୁଃଖିନୀ ଧନ,
ସତେ ଭବିଷ୍ୟତ ତୋତେ ଆର୍ଯ୍ୟପୁତ୍ର
ସଙ୍ଗେ ଦେବ ସମ ସ୍ଥାନ!
କୌରବ କୁଳର ପ୍ରଥମ ସନ୍ତାନ
ଅଟୁ ତୁହି ପୁତ୍ର ମୋର,
କିନ୍ତୁ ମୋର ଧନ ପାଇବୁକି ତହିଁ
ଯୁବରାଜ ଅଧିକାର?
ତାତ୍ସଲ୍ୟ କରିବେ,କେତେ ଘୃଣାଭାବେ,
ଗାଳିଦେବେ ରକ୍ଷକୁଳେ,
ମାତାକୁ ତୋହର ଗାଳିଦେଲେ ଧନ,
ସହି ପାରିବୁ କି ହେଳେ?
ଚାହେଁନାହିଁ ତୋର ଅପମାନ ବାବୁ,
କୁରୁ ଦରବାରେ ଗାଳି,
ରାକ୍ଷସ ରାଜ୍ୟର ଯୁବରାଜ,ତୁ ମୋ
ବିରୋଚନ ମହାବଳୀ।
ସ୍ବର୍ଗେ ଘୃଣାଠାରୁ ଅଟେ ବହୁଗୁଣେ-
ଶ୍ରେୟ ମର୍ତ୍ତ୍ୟେ ସନମାନ,
ପିତାଙ୍କ ଆଦର୍ଶ ଧରି କରିବୁ ତୁ
ରାକ୍ଷସାବର୍ତ୍ତ ଶାସନ।"
ଏହା ମନେ ଭାଳି,ରକ୍ଷ ରାଜବାଳୀ,
ଭୀମଙ୍କ ଚିତ୍ର ପଟରେ,
ମସ୍ତକ ନୁଆଁଇ ପ୍ରଣାମ ଢାଳିଲେ,
ଗଣ୍ଡ ଆଦ୍ର ଅଶ୍ରୁନୀରେ।
କ୍ରମଶଃ..........