STORYMIRROR

Kulamani Sarangi

Abstract

4  

Kulamani Sarangi

Abstract

ଭକ୍ତଙ୍କ ପ୍ରକାର ଭେଦ

ଭକ୍ତଙ୍କ ପ୍ରକାର ଭେଦ

1 min
24K

ଭକ୍ତ ଚାରିମତେ ବିଦିତ ଜଗତେ

କହିଛନ୍ତି ପାର୍ଥସାରଥି,

ଆରତ,କ୍ଷୁଧାର୍ତ୍ତ,ଜିଞ୍ଜାସୁ ଭକତ

ପୁଣି ଜ୍ଞାନୀଭକ୍ତ ବିଦ୍ୟନ୍ତି,

ଆହେ ସାମନ୍ତେ,

ଭକ୍ତକୁ ଚିହ୍ନିବା କେମନ୍ତେ

କହୁଛି ବୁଝାଇ ଶୁଣ ମନଦେଇ,

ବର୍ଣ୍ଣିତ ଯାହା ଶାସ୍ତ୍ରମତେ


ହସ୍ତୀ,ହରିଣୀ,ପାଣ୍ଡବ-ରାଣୀ ଥିଲେ

ଆରତ-ଭକତ ମହୀରେ,

ନପାଇ ଉପାୟ ଡାକିଲେ ହୃଦୟ,

ତନୁ,ମନ ସମ୍ପି ପୟରେ,

ଶୁଣି କର୍ଣ୍ଣରେ,

ଭକତ-ବନ୍ଧୁ ଆସି ଖରେ, 

ଆରତେ ଶରଣ ଦେଲେ ନାରାୟଣ

ବାନା ଉଡେ ନୀଳକନ୍ଦରେ


ହେବ ଯେବେ ଅସହାୟ ମୋବଂଧୁ ହେ

ଡାକିବ ଉର୍ଦ୍ଧ୍ଵକୁ ଅନାଇ,

ନାହିଁ କେହି ଯାର ପ୍ରଭୁ ତ ତାହାର

ଅଛନ୍ତି କଥା ଅଛି ରହି,

ଆହେ ସୁଜନେ, 

କରୁଣା ସାଗର ଶ୍ରୀହରି 

ବିଶ୍ୱାସେ ମିଳନ୍ତି ,ଅବିଶ୍ବାସେ ଯା'ନ୍ତି

ଦୂରେ ଦୂରେ ସେ ଅପସରି


କ୍ଷୁଧାର୍ତ୍ତ-ଭକତ ସୁଦାମା ଯେମନ୍ତ

ଭକତିର ଭିକ୍ଷା ମାଗଇ, 

ବଂଧୁ-ସାଆନ୍ତେ ତ ଥିଲେ ସେହିମତେ 

ସୁନାଥାଳି'ଟି ଥିଲେପାଇ, 

ବଡ ଠାକୁର,

ଜଣାଣ ଶୁଣିଲେ ଭକ୍ତର, 

ମାଗିବା ଲୋକର ଭକତିବେଭାର

ଦେଖି ବରଦେବେ ଈଶ୍ବର


ଭିକ୍ଷା ମାଗିବ ତ ମାଗହେ ଭକତ

ବଡ-ସାଆନ୍ତଙ୍କ ଦୁଆରେ, 

ଏଡେବଡ ପ୍ରଭୁ ଥାଉଁ କା'ପାଖରେ

ହାତ ନପାତିବ ଜୀବରେ ,

ବଡ ସାଆନ୍ତ,

ଅଟନ୍ତି ବଡ ଦୟାବନ୍ତ,

ଶୂନ୍ୟଥାଳ ପୂର୍ଣ୍ଣ କରିବେ ଅଚିରେ 

ହେଲେ କ୍ଷୁଧାର୍ତ୍ତ ଭାବଗତ


ବିଦୂର,ଉଦ୍ଧବ ଭକତିର ଭାବ

ଜିଜ୍ଞାସୁ ଭକତିରେ ଲେଖା,

ପ୍ରଭୁ ପରା ସର୍ବ ଜ୍ଞାନର ସାଗର

ଏସର୍ବେ ଥିଲେ ତାଙ୍କ ସଖା,

ଦିବା ନିଶିରେ,

ନମୁଥିଲେ ପ୍ରଭୁ ପୟରେ,

ଯେ ଆଦି ଅନନ୍ତ ତାଙ୍କ ହୃଦଗତ

ଥିଲେ ଜିଜ୍ଞାସା-ଭକତିରେ


ଜାଣିବାକୁ ଯେବେ ଇଚ୍ଛା ମୋ ବନ୍ଧୁ ହେ

ପଚାରି ବୁଝ ଅପରାକୁ, 

ଜ୍ଞାନ ପାରାବାର ପ୍ରଭୁ ପରାତ୍ପର

ପାଇବ ସବୁ ଉତ୍ତରକୁ, 

ପରମାତ୍ମାକୁ,

ଭଜ ସଂସାର ତରିବାକୁ,  

ଗୁରୁପାଦେ ଚିତ୍ତ ରଖ ଯେବେ ମନ

ଜିଜ୍ଞାସୁ-ଭକତ ହେବାକୁ


ଭକ୍ତଙ୍କ ମଧ୍ୟରେ ଶ୍ରେଷ୍ଠ ଜଗତରେ

ଜ୍ଞାନୀ-ଭକ୍ତ ଆହେ ସୁଜନେ,

ଶ୍ରୀଗଣେଶ,ବ୍ୟାସ,ଶୁକ, ପରାଶର

ଥିଲେ ଜ୍ଞାନୀ-ଭକ୍ତ ତେସନେ,

ଜ୍ଞାନ ବଳରେ

ଥିଲେ ଅଚଳା ଭକତିରେ, 

ସୃଷ୍ଟି,- ସ୍ରଷ୍ଟା -ଗତ ସମସ୍ତ ସିଦ୍ଧାନ୍ତ 

ବୁଝିଥିଲେ ଜ୍ଞାନ ବଳରେ


ହେବାପାଇଁ ଯେବେ ଇଚ୍ଛାରେ ମାନବ

ଜ୍ଞାନୀ-ଭକ୍ତ ଏହି ସୃଷ୍ଟିରେ,

ଅଧା ଜ୍ଞାନ ନେଇ ସ୍ରଷ୍ଟା ଗାଳିଦେଇ

ସୁଆଙ୍ଗ ନକର ମଂଚରେ,

କର ସମ୍ପୂର୍ଣ୍ଣ, 

ସୃଷ୍ଟିର ଜ୍ଞାନ ଆହରଣ,

ବୋଲେ ଅବିନାଶ ନୋହିଲେ ବିନାଶ

ହୋଇବୁ ରାବଣ ସମାନ



Rate this content
Log in

Similar oriya poem from Abstract