ଭକ୍ତି
ଭକ୍ତି
ମୁଖ ନିସୃତଃ କବିତା – ସନ୍ଥ କବୀର ଦାସ
ଅନୁବାଦ –ଡଃ ସୁବାସ ଚନ୍ଦ୍ର ରାଉତ
ମୁକ୍ତିର ଚିହ୍ନ ଭକ୍ତିର ପଥ, ସବୁ ସନ୍ଥ ଚାଲେ ପ୍ରେମେ,
ଆଳସ୍ୟ ଯୋଗୁ ଯାଏନି ମନ, ଅନୁତାପ ଜନ୍ମେ ଜନ୍ମେ ।
ପୂଜା କର ତୁ ସମ୍ପୁର୍ଣ୍ଣ ବ୍ରହ୍ମ, ସବୁ ବିଧି ପୂର୍ଣ୍ଣ ହେବ,
ଯଦି ପୂଜିବୁ ଅନ୍ୟ ଠାକୁର, ଏହି ଜନ୍ମ ହଜି ଯିବ ।
କାମୁକ କ୍ରୋଧୀ ଲୋଭୀମାନଙ୍କ, ଭକ୍ତି କେବେ ନାହିଁ ହୁଏ,
ଭକ୍ତି ଯେ କରେ ବୀର ତାହାର, ଜାତି ବର୍ଣ୍ଣ କୁଳ ଯାଏ ।
ଭକ୍ତିରେ ଯଦି କାମନା ଯୋଗ, ସାଧନା ନିଷ୍ଫଳ ହେବ,
କବୀର କହେ ଏ କି ସମ୍ଭବ? ନିଜେ ତ ନିଷ୍କାମ ଦେବ ।
ଜାତି ସମ୍ପର୍କ ଲାଗି ରହିଲେ, ଭକ୍ତି ରହେନାହିଁ କେବେ,
ତ୍ୟାଗି ସଂପର୍କ ହରି ଯେ ଭଜେ, ଭକ୍ତ ସେହି ବୋଲାଇବେ ।
ମାଛ ଭଲ ପାଏ ଜଳ ଏବଂ ଲୋଭୀ ଭଲ ପାଏ ଦାମ,
ମାତା ଭଲ ପାଏ ଶିଶୁ ଏବଂ ଭକ୍ତ ଭଲ ପାଏ ରାମ ।
ଭକ୍ତିର ମାର୍ଗ, ସୋରିଷ ଦଶ ଭାଗରୁ ଏକ ସମାନ,
କିପରି ଯିବା ଆସିବା ହେବ, ନିଶାସକ୍ତ ହାତୀ ମନ ।
ସମୁଦ୍ର ମଧ୍ୟେ ଶାମୁକା ଡ଼ାକେ, ମୋତେ ବଡ଼ ଶୋଷ, ଶୋଷ,
ସାଗର ଜଳ ପିଏନି କେବେ, ଆକାଶ ଜଳକୁ ଆଶ ।
କବୀର ଧନ୍ୟ ମାତା ପୁତ୍ରର, ଯିଏ ଦିଏ ରାମ ଡାକ,
ସେ ମାତା ସଙ୍ଗେ ତୁଳନା କଲେ, ବାକି ନାରୀ ଅପୁତ୍ରିକ ।
କବୀର, ମୁଁ ତ ରାମଙ୍କ ଶ୍ୱାନ, ମୋତିଆ ନାମ ମୋ ଥାଏ,
ଗଳାରେ ମୋର ଶ୍ରୀରାମ ପଟି, ଯୁଆଡେ଼ ଟାଣେ ମୁଁ ଯାଏ ।
କବୀର ଡରୁ କାହିଁକି ସୃଷ୍ଟି କର୍ତା ତୋ ମଥା ଉପର,
ହାତି ଉପରେ ଚଢ଼ିଲେ କେହି କୁକୁର ଭୁକେ ହଜାର ।