ଭକ୍ତି
ଭକ୍ତି
ଭକ୍ତି ଏକ ନଦୀଟିଏ
ହୃଦୟ ରାଜ୍ୟରେ ଯିଏ
ପ୍ରେମଭରେ ବହିଥାଏ
ମିଶିବାକୁ ପୂର୍ଣ୍ଣ ବ୍ରହ୍ମ ସାଗରରେ ସିଏ।
ଭକ୍ତି ଏକ ଫୁଲଟିଏ
ମନ ଉଦ୍ୟାନରେ ଯିଏ
ଭାବନେଇ ଫୁଟିଥାଏ
ଛୁଇଁବାକୁ ପରଂବ୍ରହ୍ମ ପଦରେଣୁଟିଏ।
ଭକ୍ତି ଏକ ରାସ୍ତାଟିଏ
ହୃଦୟରୁ ଲମ୍ବିଥାଏ
ପୂଣ୍ୟ ତୀର୍ଥସ୍ଥଳ ଯାଏ
ପାଇବାକୁ ଶ୍ରୀହରିଙ୍କ ଦର୍ଶନଟି ଯିଏ।
ଭକ୍ତି ଏକ ଶବ୍ଦଟିଏ
ଆବେଗର ତତ୍ତ୍ଵ ସିଏ
ଅନୁରାଗ ଭାବଟିଏ
ଆତ୍ମା ପରମାତ୍ମା ଯୋଗ-
ସୂତ୍ରେ ଯିଏ ବାନ୍ଧିଥାଏ।
ଭକ୍ତି ଏକ ପୂଜାଟିଏ
କଅଁଳିଆ ମନଟିଏ
ବିନୟ ମଧୁର ସିଏ
ନମିବାକୁ ଗୁରୁ ଗୁରୁଜନ ପଦ ସିଏ।
