ଭକ୍ତ କବି ବଳରାମ ଦାସ
ଭକ୍ତ କବି ବଳରାମ ଦାସ
ସାହିତ୍ୟ ଧାରାରେ ଅନ୍ୟତମ ଯୁଗ
ପଞ୍ଚସଖା ଯୁଗ ଅଟେ
ପଞ୍ଚସଖା ମଧ୍ୟେ ବଳରାମ ଜ୍ୟେଷ୍ଠ
ବିଦିତ ଯେ ଓଡ଼ିଶାରେ ।
ମାତା ମହାମାୟା ପିତା ସୋମନାଥ
କୋଳରେ ଯାହାଙ୍କ ଜନ୍ମ
ଯାଜପୁରେ ଜନ୍ମ ଶ୍ରୀକ୍ଷେତ୍ର ନିବାସ
ଭକ୍ତ କବି ବଳରାମ ।
ଏକାଧାରରେ ସେ କବି ଭକ୍ତ ଥିଲେ
ଲେଖା ସଙ୍ଗେ ଭାବ ଭକ୍ତି
ଅନନ୍ୟ ଭାବନା ପ୍ରଭୁ ଚିନ୍ତନରେ
ମନେ ଥିଲା ଯେ ଦୃଢୋକ୍ତି ।
ଅନନ୍ୟ ଗ୍ରନ୍ଥର ସ୍ରଷ୍ଟା ବଳରାମ
ପ୍ରଭୁ ପାଦେ ସେଦା ମତି
ଦାଣ୍ଡି ରାମାୟଣ ଲକ୍ଷ୍ମୀ ପୁରାଣ ଯେ
ଘରେ ଘରେ ଆଦୃତି ।
ଲକ୍ଷ୍ମୀ ପୁରାଣରେ ନାରୀ ର ସମ୍ମାନ
ଜାତି ଭେଦେ ତୋଳି ସ୍ଵର
ସମାଜ ବ୍ୟବସ୍ଥା ସୁଧାରିବା ପାଇଁ
ହୋଇଥିଲେ ଆଗଭର ।
କେତେ ଗୀତା ପୁଣି କେତେ ଚଉତିଶା
ବ୍ରହ୍ମଜ୍ଞାନ ଏକାକ୍ଷର
କେଉଁଠି ଭକତି କେଉଁଠି ମୁକତି
କେଉଁଠି ଜ୍ଞାନ ଭଣ୍ଡାର ।
ମୃଗୁଣୀ ସ୍ତୁତିରେ ମନ ବିଗଳିତ
ଗଣେଶ ବିଭୂତି ଝରେ
ବ୍ରହ୍ମଜ୍ଞାନ ଏକାକ୍ଷର ମଧ୍ୟେ ପୁଣି
ମୁକ୍ତିର ମାର୍ଗ ଯେ ଦିଶେ ।
ବ୍ରହ୍ମାଣ୍ତ ଭୂଗୋଳ ଭୂଗୋଳ ସହିତ
ସୃଷ୍ଟି ସର୍ଜନାର କଥା
ଭକତି, ମୁକତି, ଜ୍ଞାନ ଗାରିମାରେ
ଗ୍ରନ୍ଥ ତାଙ୍କ ହରା ଭରା ।
ସମାଜ ସୁଧାର କଥା ମହକରେ
ତାଙ୍କ ଗ୍ରନ୍ଥର ବାସୁ ଥାଏ
ଭକ୍ତି ଭାବନାର ଅମୀୟ ଧାରାରେ
ଗ୍ରନ୍ଥ ସଦା ଭାସୁଥାଏ ।
ଶ୍ରୀଚୈତନ୍ୟ ଭକ୍ତ ଭକତ ପ୍ରବର
ବଳରାମ ଦାସ ସିଏ
ଉକ୍ତି ଭାବନାରେ ତାଙ୍କ ମନୋଭୂମି
ସଦା ରୁଦ୍ଧିମନ୍ତ ଥାଏ ।
ପଣ୍ଡାଙ୍କ ବାରଣେ ପ୍ରଭୁ ଦରଶନେ
ନିରାଶ ହୋଇ ଫେରନ୍ତି
ବାଙ୍କି ମୁହାଣରେ ବାଲି ରଥ କରି
ଜଗନ୍ନାଥଙ୍କୁ ଡାକନ୍ତି ।
ଭକତ ବତ୍ସଳ ପ୍ରଭୁ ଜଗନ୍ନାଥ
ହୁଅନ୍ତି ଭାବେ ବିହ୍ଵଳ
ବାଲି ରଥେ ପ୍ରଭୁ ବିଜେ ଯେ କରନ୍ତି
ଛାଡ଼ି ଦେଇ ନୀଳାଚଳ ।
ଭକତ ପଣ୍ଡିତ ବଳରାମ ଦାସ
ପୀଠସ୍ଥଳ ସମଗରା
କାଳର କରାଳ ଛାୟାରେ ଆଜି ଯେ
ବିଲୁପ୍ତ ହେଉଛି ପରା ।
ଗୋଟିଏ ଯୁଗର ମୁଖ୍ୟ ପୁରୋଧା ସେ
ଅନନ୍ୟ ତାଙ୍କର କୀର୍ତ୍ତି
ସାଧନା ନିମଗ୍ନ ଏରବଙ୍ଗ ଗ୍ରାମେ
ହୋଇଲା ତାଙ୍କ ବିରତି ।
ଆଷାଢ଼ ମାସର ଶୁକ୍ଳ ତ୍ରୟୋଦଶୀ
ସମାଧୀରେ ହେଲେ ଲୀନ
ପଞ୍ଚସଖା ଯୁଗ ମୁଖ୍ୟ ପୁରୋଧା ସେ
ଯୁଗ ପୁରୁଷ ମହାନ ।
