ଭକତ ଭୋଳିଆ
ଭକତ ଭୋଳିଆ
ଭକତର ପ୍ରାଣ ଧନ ଭକତ ଜୀବନ
ଭାବ ବିନୋଦିଆ ପ୍ରଭୂ ମୋ ଚକାନୟନ l
ଭକ୍ତ ସାଲବେଗ ପାଇଁ ରଥ ଅଟକେଇ
ସୁଦାମାଙ୍କୁ ଭକ୍ତ ହସ୍ତ ଦେଇଛ ବଢ଼େଇ l
ଦାସିଆ ହାତରୁ ନେଲ ତା ଭୋଗ ନଡ଼ିଆ
ଭକତ ଭୋଳିଆ ପ୍ରଭୂ ନୀଳାଞ୍ଚଳିଆ l
ଭକତ ବିଦୂର ଘରେ ଶାଗ ଭଜା ଖାଇ
ଭକତ ହୃଦୟେ ଅଛ ପ୍ରଭୂ ଭାବଗ୍ରାହୀ l
ଭକତ ଟେ ତୁମ ଯେବେ ବାଟ ହୁଡ଼ି ଯାଏ
ହାତ ଧରି ନେଇଯାଅ ଦରଶନ ପାଏ l
ବାଲିରେ ରଥ ଟେ ଗଢି ଭକ୍ତ ବଳରାମ
ଭକତିରେ ଡାକିଦେଲେ ଆସ ନାରାୟଣ l
ଭକତର ଭକତିରେ ଟାଣି ହୋଇ ଗଲ
ନନ୍ଦିଘୋଷ ଛାଡ଼ି ବାଲି ରଥେ ଉଭା ହେଲ l
ପରିବାର ବନ୍ଧନକୁ ଜଣେଇବା ପାଇଁ
ଭାଇ ଭଉଣୀଙ୍କୁ ପାଖେ ରଖିଛ ଗୋସେଇଁ l
ଭକ୍ତି ଭାବେ ମହାବାହୁ ଭକତ ଡାକିଲେ
ମା ପରି ଓଃ କର ବିପଦେ ପଡିଲେ l
ରତ୍ନବେଦୀ ପରେ ବସି ମୋ ଚକାଡୋଳିଆ
ଭାବରେ ପାଖକୁ ଟାଣ ହେ ନୀଳାଞ୍ଚଳିଆ l
ଡୋରି ଲଗେଇ ନିଅ ଭାବ ବିନୋଦିଆ
ଦେଖିବି ପଙ୍କଜମୁଖ ହେ ଜଗା କାଳିଆ l
ବଡଦାଣ୍ଡେ ଗଡି ଯିବି ହେ କଳା ସାଆନ୍ତ
ପାପ ମୋର ଝାଡ଼ି ଦେବ ଆହେ ଜଗନ୍ନାଥ l
ଦରଶନେ ମୋକ୍ଷ ହେଉ ଏ ଦୀନ ଭକତ
ମିଛ ମାୟା ସଂସାରରେ ତୁମେ ଏକା ସତ l
