ଆସ ଅବତରୀ
ଆସ ଅବତରୀ
କୃଷ୍ଣମୟ ଆଜି ଦିଶେ ଚତୁଃର୍ଦ୍ଦିଗ
ବରଷୁ ଅଛି ବରଷା
ଲୀଳାମୟ ଆଜି ଅବତୀର୍ଣ୍ଣ ହେବେ
ମେଣ୍ଟିଯିବ ଯେତେ ଆଶା l
ଏନ୍ତୁଡ଼ିଶାଳଟି କଂସ ବନ୍ଦୀ ଘର
ବାହାରେ କଡା ପ୍ରହରା
ଦେବକୀ ମାତାର କୋହ ଆନନ୍ଦର
ବରଷୁଛି ବାରିଧାରା l
ନିଦ୍ରାଦେବୀ ଆଜି ଅଛନ୍ତି ଅନାଇ
ପ୍ରହରୀ ଆଖିରେ ଭରି
ଚାହିଁ ରହିଛନ୍ତି ବସୁଦେବ ପ୍ରେମେ
ହୃଦୟେ ଆବେଗ ଭରି l
କଂସ ଚାହିଁଅଛି ଅଷ୍ଟମ ଗର୍ଭକୁ
ମାରିବ ପିଟି ଶିଳାରେ
ସପ୍ତମ ଗର୍ଭ ଯେ ଉଭେଇ ଯାଇଛି
ବଢ଼େ ରୋହିଣୀ କୋଳରେ l
ଚାରି ମେଘ ଘୋଟି ବରଷା ଆସୁଛି
ଭସେଇ ନେବ କୃଷ୍ଣ ଙ୍କୁ
ମଥୁରାରୁ ଭାସି ଗୋପରେ ଲାଗିବେ
ଭେଟିବେ ବଡ଼ ଭାଇଙ୍କୁ l
ଚାହିଁଛନ୍ତି ଆଜି ଉଗ୍ରସେନ ଅଜା
ଦେଖିବେ ପଙ୍କଜ ମୁଖ
ପାଦପଦ୍ମ ଛୁଇଁ ପାପ ଧୋଇନେବେ
ବାଟେ ଜଗିଛନ୍ତି ଦେଖ l
ବନ୍ଦୀଶାଳା ଆଜି ଷଠୀ ଘର ସାଜି
ଜାଳୁଛି ଦୀପାଳି ଟିଏ
ଆସ କଳା କାନ୍ହୁ ସମୟ ହେଲାଣି
ରାଧିକା ଲୁହ ଝରାଏ l
ଯଶୋଦା ମାଆର ଵାତ୍ସଲ୍ୟ ମମତା
ଦେଇଛି ପଣତ ମେଲି
ଆସ କଳାକାନ୍ହୁ ପିତାଙ୍କ କାନ୍ଧରେ
ଗୋପପୁରେ ଝୁଲି ଝୁଲି l
ଅଧର୍ମ ମେଲିଛି ଚତୁର୍ଦ୍ଦିଗେ କାୟା
ଆସ କଳାକାନ୍ହୁ ଆସ
ମୁଖରେ ଅମୃତ ହସ ଉକୁଟାଇ
କର ଅଧର୍ମ ବିନାଶ l
ଆଉଥରେ ଜନ୍ମ ନିଅ ବାସୁଦେବ
ହେଉ କାଳୀୟ ଦଳନ
ଧର୍ମ ସଂସ୍ଥାପନେ ଆଉଥରେ ପୁଣି
ହେଉ ସମୁଦ୍ର ମନ୍ଥନ l
ଚିତ୍କାର କରୁଛି ଦ୍ରୌପଦୀ ର ଆତ୍ମା
ଅବତର ହେ ମାଧବ
ପୂଜା ଥାଳି ଧରି ବନ୍ଦାଇବୁ ସର୍ବେ
ଜୟ ହେ ରାଧା ମାଧବ l
ଜନ୍ମ ତିଥି ତବ ଆସୁଛି ଯାଉଛି
ଗାଇ ଗାଇ ତବ ନାମ
ଆଉଥରେ ପ୍ରଭୁ ଅବତରୀ ଆସ
ମୋକ୍ଷ ହେଉ ଚାରିଧାମ l
