STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଭିଟାମାଟି

ଭିଟାମାଟି

1 min
163

ଆଜି ଏକ ଲମ୍ବା ବିରତି ପରେ

କଳା ମଚମଚ ଜୋତା ହଳେ ଆସିଛି

ଧୁସରିଆ ଗୋହିରୀ ରାସ୍ତାରେ

ଲେଖିଦେବା ପାଇଁ ତା ଅହଙ୍କାରୀ ସ୍ୟାହୀରେ

ଆତ୍ମବଡ଼ିମାର ସହରିଆ ଆତ୍ମକାହାଣୀଟିଏ। 


ଯେଉଁ ଅଫେରା ପାଦ ଯୋଡ଼ିକ

ଛାଡ଼ି ଚାଲି ଯାଇଥିଲେ ପରିତ୍ୟକ୍ତ କରିଦେଇ

ମାଟିଲିପା ଘର ଅଗଣାକୁ,

ଶିହରି ଉଠୁଥିଲା ତାର ପ୍ରତିଟି ଧୂଳିକଣା

ସେ ଫେରନ୍ତା ପାଦର କଠୋର ସ୍ପର୍ଶରେ

ହଜିଲା ସମ୍ପତ୍ତିର ପୁନଃପ୍ରାପ୍ତିର ଏକ ତୀବ୍ର ଆବେଗରେ। 


କିନ୍ତୁ ମାଟିର ନିଦ ଭାଙ୍ଗେ ଅଧା ସୁଖସ୍ୱପ୍ନରେ

ଯେଉଁ ଶୀତଳ ମଳୟ ଆଶାରେ 

ବସିଥିଲା ପ୍ରତୀକ୍ଷାରେ ସେ କୋରଡରେ ପଶିଥିବା

ନିରବ ଆଖି ଯୋଡ଼ିକ

ଆଜି ଧ୍ୱସ୍ତ ଓ ପରାଜିତ

ଅକସ୍ମାତ ଆସିଥିବା ଏକ ଅଭିସନ୍ଧିର କାଳବୈଶାଖୀରେ। 

ସେଇ ଭିଟାମାଟିର ଛିନ୍ନ ଛପର ତଳେ

ହଠାତ ଜଳିଉଠେ ଉଗ୍ର ଶିଖା ସହ

ଲୋଭାସକ୍ତ ଆକାଂକ୍ଷାର ମାଟିଦୀପଟିଏ

ନିଲାମ କରିବାକୁ ଯେତେ ସବୁ ସାଇତା ସ୍ମୃତିର

ବେହିସାବୀ ବୁଦ୍ଧି କରେ ଦୁର୍ମୂଲ୍ୟର ମୂଲ୍ୟ ନିର୍ଦ୍ଧାରଣ।


ଯେଉଁ ମାଟି ଆଜିଯାଏଁ ଧରିରଖିଛି

ଏ ଆପାଦମସ୍ତକର ଅତ୍ୟାଚାରୀ ଭାର

ଆଜି ସେଇ ମାଟି ବୋଝ ପରି ଲଦିହୁଏ

ଏ ସହରିଆ ସୌଖିନ ପିଠିରେ

ଯାହାକୁ ଉତାରିବାର ଇଛାରେ

ଯୋଜନା ଚାଲିଛି ମୁକ୍ତ ହେବାପାଇଁ

ମାଟିର ସେ ମହମହ ଆସକ୍ତ ବାସରୁ। 


ଦେଇପିଣ୍ଡିର ଭଙ୍ଗା ଚଟାଣରେ

ଜକେଇଆସେ କୋହଭରା ଭିଜା ସଞ୍ଜଟିଏ

ଅଗଣା ଛାତିରେ ଉଠେ

ଅଚାନକ ହୃଦଘାତର ଶେଷ ସ୍ପନ୍ଦନଟିଏ

ଅଧାମରା ପ୍ରାଣ ଖୋଜେ 

ଆତ୍ମାହୁତିର ଶେଷ ପୂର୍ଣଛେଦ ସବୁକିଛି ସରିଗଲା ପରେ। 


Rate this content
Log in

Similar oriya poem from Abstract