STORYMIRROR

Satyabati Swain

Classics

4  

Satyabati Swain

Classics

ଭିଟା ମାଟି

ଭିଟା ମାଟି

1 min
360

ସହରୀ ମାୟାର ଇନ୍ଦ୍ରଜାଲ କାଟି

   'ଭିଟାମାଟି' ର ବାସ୍ନାରେ 

ମହକୁଛି ଏଇ ମନ ମୋର ଆଜି

   କେତେ ଖୁସିରେ ବିଭୋରେ।

    

 ମନ ଭରି ପାନ କରୁଛି ଏ ପ୍ରାଣ

   ମର୍ତ୍ତ୍ୟ ବୈକୁଣ୍ଠ ଅମୃତ

 ଏଇ ମୋର ପୂର୍ବ ପୁରୁଷ ଡିହରେ

    ଚତୁର୍ଦ୍ଦଶ ଲୁଇ ମୁଁ ତ।


 'ଭିଟାମାଟି' ନୁହେଁ ମିଠାମାଟି 'ଏତ

    ମୋ ପାଇଁ ଚନ୍ଦନ ସମ

ଭାବୁଛି କେମିତି ଏ ମୋହକୁ କାଟି 

    ରହିଥିଲି ଏତେ ଦିନ ।


ସହରୀ ମାୟାରେ ଫଶି ଯାଇଥିଲି

     ହିତା ହିତ ଜ୍ଞାନ ଭୁଲି

ଗାଁ ମାଆକୁ ପର କରି ମୁଢ ମତି

    କେତେ ବଡ଼ ଭୁଲ୍ କଲି।


ଏଇ ଗାଁରେ ପଡିଛି ଏନ୍ତୁଡ଼ି ପାଉଁଶ 

     ବାଇଶି ବର୍ଷର ସ୍ମୃତି

ଷାଠିଏ ବରଷ ପରିଯନ୍ତେ ମୁଁ ଯେ

     ଭୁଲି ରହିଲି କେମିତି ।


ନିଜ ପରେ ମୋର ରାଗ ହୁଏ ଭାରି

    କି ସୁଖ ପାଇବା ପାଇଁ

ଗାଁ ପରିମଳ ଶୁଦ୍ଧ ପରିବେଶରୁ

    ଦୁରେଇ ରହିଲି ମୁହିଁ ।


ପୋଖରୀ ଗାଧୁଆ କଇଁ ଫୁଲ ତୋଳା

      ବାଗୁଡି କବାଡି ଖେଳ

ଶୀତୁଆ ରାତିର ଯାତ୍ରା ଦେଖା ସୁଖ

    ଫଗୁଣ ମେଳଣ ମେଳ।


ରଙ୍ଗରେ ଗାଧୋଇ ହୋଲି ଅବିରେ

    ରଜ ଦୋଳି ପୋଡ଼ ପିଠା

କୁଆଁର ପୁନେଇ ଫୁଲ ବଉଳବେଣୀ

     ଗୀତରେ ଥିଲା କି ମଜା ।


ସାଙ୍ଗ ସାଥି ହୋଇ ଭୋଜି କରିବା

     ଯେଉଁ ମଜା ଦେଉଥିଲା

କିଏ ସେ ସବୁକୁ ଆମରି ଜୀବନୁ

     କୁଆଡେ ପୋଛି ଦେଲା ।


ମାଟି ମାଆ ମୋର ତୁ ସରଗ ପୁର 

    ପ୍ରତିଜ୍ଞା ଏହା ଟି ମୋର

ଆଉ ଯେତେ ଦିନ ବଞ୍ଚିବି ସଂସାରେ

    ସେବା କରିବି ତୋହର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics