STORYMIRROR

Chinmaya Kumar Nayak

Romance

3  

Chinmaya Kumar Nayak

Romance

ଭିନ୍ନ ଏକ ପ୍ରେମ ଉପାଖ୍ୟାନ

ଭିନ୍ନ ଏକ ପ୍ରେମ ଉପାଖ୍ୟାନ

1 min
37

ଦିବସ ଯାକର ପ୍ରଣୟର ନିବେଦନ ପରେ

ଅବସାନ ଘଟେ ସୁଦୀର୍ଘ ପ୍ରତୀକ୍ଷାର

ଦିଗନ୍ତ ହଂସପୁରେ ଶାୟିତ ସବୁଜ ସୁନ୍ଦରୀର

ଉଛ୍ୱସିତ ପ୍ରେମ ନିବେଦନେ ସମ୍ମୋହିତ ହୋଇ

ବିଶାଳ ଆକାଶ ବିସ୍ଫାରିତ ବକ୍ଷ ମେଲି

ଦିଗବଳୟେ କରଇ ଆହ୍ୱାନ। 


ପ୍ରେମନଦୀ ସାଗରରେ ମିଶେ

ଦୀର୍ଘପଥ ଦିଗନ୍ତରେ ହଜେ

ଆନନ୍ଦେ ଅଧିରା ହୋଇ ବନାନୀ ସୁନ୍ଦରୀ

ଆକାଶର ବହୁଛାୟା ତଳେ

ମଜ୍ଜିଯାଏ ଭଙ୍ଗିଳ ନୃତ୍ୟରେ,

ପ୍ରିୟତମ ନାଇଦିଏ ନାଲିଆ ଟୋପାଟେ

ଶାୟିତା ପ୍ରେମିକାର ସୁଉନ୍ନତ ସିଂଥିରେ।


ମିଳନର ଏ ଅପୂର୍ବ ମହୋତ୍ସବ ପରେ

ନବବଧୁ ଗଢ଼ିବସେ ତା ସ୍ୱପ୍ନିଳ ସଂସାର

ହୃଦୟେ ଲହଡ଼ି ଭାଙ୍ଗେ ଅସଂଖ୍ୟ ସ୍ପନ୍ଦନ

ଲାଜେଇ ଯାଏ ସେ ଦେଖି

ନଦୀର ଚହଲା ପାଣିରେ ସିଂଥିଭରା ମୁଖ

ପ୍ରିୟ ତାର ବାନ୍ଧିଦିଏ ଦୃଢ଼ ଆଳିଙ୍ଗନେ

ବିହ୍ଵଳିତ ହୁଏ ଆକାଶର ବାସର ଶେଯରେ।


ସୁଖ ପରେ ଦୁଃଖ, ଆଲୋକ ଅନ୍ଧାର

ସବୁକିଛି ଛପା ମୁଦ୍ରାର ଦୁଇ ପାର୍ଶ୍ଵରେ,

ମୁଦ୍ରା ଓଲଟିଲା, ରଙ୍ଗ ବଦଳିଲା

କ୍ଷଣଭଙ୍ଗୁର ଜୀବନର ମୋହଭଙ୍ଗ ହେଲା

ଆକାଶ ଗଳାରେ ଦିଶେ ସ୍ବର୍ଣ୍ଣିମ ଫାଶଟିଏ

ଦିବସ ଆୟୁଷ ଅବସାନ ପରେ

କାଲରାତ୍ରୀ ଉଭା ହୁଏ ଅନ୍ଧାରୀ ସମ୍ବାଦ ନେଇ। 


ପୁନରାବୃତ୍ତି ହୁଏନା ସାବିତ୍ରୀ ଉପାଖ୍ୟାନ

ଭ୍ରୁକ୍ଷେପ ନକରି ସତୀର ବାରଣ

ଯମ ଫାଶେ ପତି ତାର କରଇ ଗମନ। 


ଘୋଟିଆସେ ଘୋର ଅନ୍ଧକାର

ଲିଭିଯାଏ ସଧବା ମଥାରୁ ଉଜ୍ଜ୍ୱଳ ସିନ୍ଦୁର

ମୁହୂର୍ତ୍ତକ ମଧ୍ୟେ କୁହୁଡ଼ିର ଶ୍ୱେତଶାଢ଼ୀ 

ମାଡ଼ିଆସେ ଢାଙ୍କିବାକୁ ବନାନୀର ତନୁ

ଆକସ୍ମିକ ବୈଧବ୍ୟକୁ ସହି ନପାରି

ଆତ୍ମାହୁତି ଦିଏ ସତୀ ତମସାର ନଦୀଗର୍ଭେ

ବିରହ ବିଧୁର ଆକୁଳ ହୃଦୟେ। 


ସଭିଙ୍କ ଅଗୋଚରେ କେଇକ୍ଷଣେ ଘଟିଯାଏ

ମିଳନ ଓ ବିଛେଦର ଏ ମର୍ମସ୍ପର୍ଶୀ ଦୃଶ୍ୟ

କାଳର କୃଷ୍ଣବରଣେ ଲୁଚିଯାଏ

ଜୀବନର ମୋହାସକ୍ତ ରଙ୍ଗ

କାହାଣୀ ସହିତ ଉପସଂହାର ହୁଏ

ନାୟକ ନାୟିକାଙ୍କ ଜୀବନ୍ତ ସତ୍ତାର

ପ୍ରକୃତି କୋଳରେ ସୃଷ୍ଟି ହୁଏ

ଭିନ୍ନ ଏକ ପ୍ରେମ ଉପାଖ୍ୟାନ। 


Rate this content
Log in

Similar oriya poem from Romance