ମାଟି ପିଣ୍ଡୁଳା
ମାଟି ପିଣ୍ଡୁଳା


କଳିଙ୍ଗ କନ୍ୟା
ଆଜିର ଏଇ ଭୋଗବାଦୀ ଚିନ୍ତାଧାରା-
ଯେମିତି ମଳିନ କରିଚାଲିଛି ଅନ୍ତରର ଭାବନାକୁ,
ତା’ର ସୃଷ୍ଟିକୁ ସ୍ୱାଗତ ମୂର୍ଚ୍ଛନା ଶୁଣାଇବା ପୂର୍ବରୁ-
ଭାସି ଆସୁଛି ଅସହାୟତାର ବୀଭିଷିକା,
ତା’ର ଦୃଷ୍ଟିଭଙ୍ଗୀର ସକାରାତ୍ମକ ଅଙ୍କୁର-
ଧୀରେ ଧୀରେ ବ୍ୟାଧିଗ୍ରସ୍ତ ଗୃହବନ୍ଦୀ ହୋଇଚାଲିଛି |
ବାରମ୍ବାର ଭୂମିରେ ପଡ଼ି-ଉଠିବାର ସମସ୍ତ ମନୋବଳ-
ଆଜି ରୁଗ୍ଣ, ଆତ୍ମଶକ୍ତି ହୀନ ଅବା
ନିବିଡ଼ ଶୂନ୍ୟତାର ବୁଢ଼ୀଆଣୀ ଜାଲରେ-
ଛନ୍ଦି ହୋଇ ଛଟପଟ ହେଉଥିବା ପ୍ରାଣ ସଦୃଶ,
କଳୁଷତାର ଦଂଶନରେ ପ୍ରାଣ ଦେଇଥିବା ଭଗ୍ନାବଶେଷରେ –
ମନ୍ତୁରା ପାଣି ସିଞ୍ଚନ ପାଇଁ-
ସତରେ କ’ଣ ଫେରି ଆସିବ ତୁମେ –
ବର୍ତ୍ତିକାଧାରୀ–କାଳୀୟକୁ ଦଳନ କରି ?
ଛାଇ ମଉଳା ସୂର୍ଯ୍ୟାସ୍ତ ବି ଉଛୁଳି ପଡ଼ିବ
ରଙ୍ଗ ଫିଟା ତୁମ ଅଧରର ହସରେ,
ପୁଣିଥରେ ସଞ୍ଚରି ଉଠିବ ଶକ୍ତି-
ଶୁଷ୍କ ମାଟି ପିଣ୍ଡୁଳା ଜଠରେ ?