ତୁମ ହାତଲଖା ଚିଠି
ତୁମ ହାତଲଖା ଚିଠି
ତୁମ ହାତଲେଖା ଚିଠି .....
ଆସିଥିଲା ଯେବେ ମୋ ଠିକଣାରେ
ପ୍ରେମ ନିବେଦନ ରଖି
ସ୍ୱର୍ଗୀୟ ଆନନ୍ଦ ପରିଭାଷା ମୋତେ
ବୁଝିବା ନ ଥିଲା ବାକି ।
ତୁମ ହାତଲେଖା ଚିଠି ...
ପକେଟ୍ ରେ ଲୁଚାଇ ବୁଲୁଥିଲା ବେଳେ
ପାଖେଥିଲା ଲୋକ ପଚାରୁଥିଲେ
କି ଅତର ମାଖିଛ ବୋଲି ।
ମଲ୍ଲି ନା ଗୋଲାପ ,ଜୁଇ ନା ହେନା
ଅବା ରଜନୀଗନ୍ଧା କି ଝରା ଶେଫାଳି
କି ବାସ୍ନା ଦେଇଛ ବୋଳି ?
ତୁମ ହାତଲେଖା ଚିଠି .....
ପ୍ରାଣ ଠାରୁ ପ୍ରିୟ ଅମୂଲ୍ୟ ବିଭୂତି
ସୁଖ ସପନର ସଜ ଅନୁଭୂତି
ବକ୍ଷେ ଧରିଥିଲେ ଚାପି
ପାହିଯାଏ ଶୀତ ରାତି
ବିରହ ଜ୍ଵାଳା ରେ ଚନ୍ଦନ ପ୍ରଲେପି
ଦିଏ ମଧୁରାତି ଅନୁଭୂତି ।
ତୁମ ହାତଲେଖା ଚିଠି ....
ମନ ମାନସୀର ଉଦାର ପ୍ରତିମା
ପ୍ରୀତି ଚୁମ୍ବନକୁ ନ କରେ ମନା
ଅସୀମ ଧୈର୍ଯ୍ୟବତୀ ସେ ଚିଠି
ସଖୀ ଉତ୍ତମା
ପ୍ରାଣ ପ୍ରିୟତମା ।