ତୁମ ଓ ମୋ ଭିତରେ ..
ତୁମ ଓ ମୋ ଭିତରେ ..
ତୁମ ଓ ମୋ ଭିତରେ ଦୂରତା କେତେ?
ଏଇ ଜହ୍ନ ଓ କଇଁର ଦୂରତା ଯେତେ ,
ଯୋଜନ ଯୋଜନ ।
ତୁମ ଓ ମୋ ଭିତରେ ନିକଟତା କେତେ?
ଏଇ ସୂର୍ଯ୍ୟ ଓ ପଦ୍ମର ନିକଟତା ଯେତେ ,
ସୌର କିରଣ ମାତ୍ର କେଇ ନିମିଷରେ
ଛୁଇଁଯାଏ ପଙ୍କଜିନୀ ସର୍ବାଙ୍ଗ
ଦେଇ ପୀରତି ଚୁମ୍ବନ
ସୂରୁଜ ଉଇଁବା ମାତ୍ରେ ।
ତୁମ ଓ ମୋ ଅନ୍ତର ଘନିଷ୍ଠତା କେତେ?
ଏହା ପାଇଁ ନା ଶବ୍ଦ ଅଛି ନା ଉପମା ,
ବିରହୀ କଇଁ କି ବିରହୀ ପଙ୍କଜିନୀ
କରିବେ ତାର ସଠିକ୍ କଳନା ।
ଏଇ ଭାବର ରସରେ
ଚେତନା ଭିଜିଛି
ଚେତନା ସର୍ବଦା ଅନ୍ତରେ ରସିଛି ।
ନାହିଁ ତ ଏମିତି ମୁହୂର୍ତ୍ତ ଟିଏ
ଯହିଁ ଫୁଟିନାହିଁ ସ୍ମୃତିସରୋବାରେ
ଶ୍ୱେତକଇଁ, ନୀଳପଦ୍ମ।
ତେବେ କୁହ
ଏଇ ଭାବ ସରୋବର ର
ଗଭୀରତା କେତେ?
ତୁମ ଓ ମୋ ଅନ୍ତର ଘନିଷ୍ଠତା କେତେ ?

