ଭିଜାମାଟି
ଭିଜାମାଟି
ଜନମଦାତା ଅଟେ ଯେସନ
ମୋହର ଭିଜାମାଟି
ଜୀବନର ପ୍ରଥମ ପାଦ
ତାପରେ ଥାଏ ଲୋଟି !!
ତାହାରି କୋଳେ ଚାଷ ଆମର
ତାହାରି ବକ୍ଷେ ବାସ
ମାଟି ନୁହେଁ ସେ ମାଆ ଆମର
ନୁହେଁ ଏ ଉପହାସ !!
ତାହାରି ବନ ପାହାଡ଼ ନଈ
ଲାଗଇ ଆମ କାମେ
ନାହିଁ ତା ସମ ସୌନ୍ଦର୍ଯ୍ୟ ସ୍ଥଳ
ଆନ ଏ ଧରା ଧାମେ !!
ସକାଳୁ ଉଇଁ ଭାନୁ ଦେବତା
ତାହାରି ମୁଖ ଚାହେଁ
ଚଷା ପୁଏ ତା ଗୀତ ଗାଇ
ଲଙ୍ଗଳ ଧରି ଯାଏ !!
ଝିଅ ବୋହୁଏ ଅଗଣା ଲିପି
ଦିଅନ୍ତି ନାନା ଝୋଟି
ପୂଜାପାର୍ବଣେ ପୂର୍ଣ୍ଣିତ ଆଉ
ପବିତ୍ର ଭିଜାମାଟି !!
ହେଲେ ବି ଛୋଟ ପଡ଼ାରେ ତାର
ସ୍ନେହ ସମ୍ପର୍କ ଥାଏ
ପରସ୍ପରକୁ ସହାୟ ହୋଇ
ଆନନ୍ଦେ ଜୀବନ ଯାଏ!!
ମୋ ଭିଜାମାଟି ଶସ୍ୟକ୍ଷେତରେ
ସୁନା ଫଳାଇ ଥାଏ
ନାନା ବୃକ୍ଷରେ ଆହାର ଫଳ
ଜଗତ ହିତେ ଦିଏ !!
ପାହାଡ଼ ଘେରା ମୋ ଭିଜାମାଟି
ନଈ ଯାଉଛି ବହି
ରଙ୍ଗବେରଙ୍ଗ ପଶୁପକ୍ଷୀଙ୍କ
ମିଳନ ସ୍ଥଳ ଏହି !!
ଋତୁ ବଦଳେ ମାସର ଧାରେ
ପ୍ରକୃତି ଶୋଭା ପାଏ
ବିଦେଶେ ଥାଇ ସନ୍ତାନ ତାର
ମାଟିକୁ ଝୁରି ହୁଏ !!
ସେଇମାଟିର ଆମ ଶରୀର
ସେଇଠି ମିଶିଯିବ
କରିଲେ କିଛି ଏମିତି କାମ
କାଳକlଳକୁ ଯଶ ଥିବ !!
ସେହି ମୋ ପ୍ରିୟ ଜନମ ଭୂଇଁ
ସେହି ଆମରି ମାଆ
ତା ସେବାରେ ଜୀବନ ଦେଇ
ରଖିବା ତାହାରି ନାଆଁ !!
