"ଭିଜା ମାଟି "
"ଭିଜା ମାଟି "
"ଭିଜାମାଟି "
ପ୍ରଲୋଭିତ କରେ ନିଜ ଗାଆଁ ସଦା
ବାଲ୍ୟ ସ୍ମୃତି ଭିଜା ମାଟି,
କେତେ ଖେଳ ନାଚ ଦେଖିଛି ସେ ମାଟି
ଭରିଛି ମମତା ପ୍ରୀତି |
ଜନମ ବେଳାରେ ଜଳିଥିଲା ସେଠି
ପହିଲେ ଏନ୍ତୁଡ଼ି ନିଆଁ,
ତା ମାଟି କାନ୍ଥରେ ଲେଖାହେଲା ମୋର
ସଠିଘର ପରା ନୂଆ |
ସେ ମାଟି କୋଳରେ ହାମ୍ବୁଡ଼ି ହାମ୍ବୁଡ଼ି
ଚାଲି ଶିଖିଲି ମୁଁ ଧିରେ,
କେତେ ଯେ ପଡିଛି ସେ ମାଟି ବୁକୁରେ
ଖେଳିଛି ତାର ଧୂଳିରେ |
ଗାଆଁ ନଈକୂଳ ଆମ୍ବ ତୋଟା ମାଳ
ଗାଆଁ ର ଶୀତଳ ବାଆ,
ଭରିଦିଏ ମନେ କେତେ ଯେ ଆନନ୍ଦ
ଭୁଲିହୁଏ ନାହିଁ ତାହା |
ଗାଆଁ ବିଦ୍ୟାଳୟ ସ୍ମୃତି ବିଜଡିତ
ଗୁରୁଜୀଙ୍କ ମାଡ଼ ଗାଳି,
ଖେଳ ପଡିଆରେ ନା ନା ଜାତି ଖେଳ
କେବେ ହେବନାହିଁ ଭୁଲି |
ପୂଜା ପlରଵଣେ କେତେ ସାଜସଜ୍ଜା
ହୁଏ ମୋର ଗାଆଁ ମାଟି,
କେତେ ରାଗ ରୁଷା ମାନ ଅଭିମାନେ
ବିତିଛି ଯେ ଦିନ ରାତି |
ପହିଲି ଯୌବନେ ମାଖିଦେଇଥିଲା
ସେ ମାଟି ମୋ ଦେହେ ରଙ୍ଗ,
ଆର ସାହିର ସେ ଗୋରୀ ଝିଅଟା ତ
ଭରିଥିଲା ପ୍ରୀତି ରାଗ |
ବାହାଘର ବେଳେ ହଳଦୀ ପାଣିରେ
ଗାଆଁ ମାଟି ଭିଜିଥିଲା,
ମଙ୍ଗନ ବେଳାର ଶୁଭ ଶଙ୍ଖ ଧ୍ୱନି
ପ୍ରଥମେ ସେ ଶୁଣିଥିଲା |
ସୁନାର ଫସଲ ଦେଇଛି ଅଜାଡି
ସବୁ ସୁଖ ଦିଏ ଖୋଜି,
ଜୀବନର ସବୁ ସୁଖର ଦୁଃଖର
ସ୍ମୃତିରେ ଯାଇଛି ଭିଜି |
ମରିଗଲା ପରେ ତା ମଶାଣି କୋଳେ
ଜଳିଯିବ ମୋର ଜୁଇ,
ମୋ ସ୍ମୃତିରେ ଭିଜା ମାଟି ମୋ ଗାଆଁର
କେବେ ଭୁଲି ଯିବ ନାହିଁ |