ବହିବନି ଜମା ରୋଷ
ବହିବନି ଜମା ରୋଷ
1 min
409
ମେଲାଣି ଦେଲେ ମୁଁ ଫେରିବି ଏଥର
ହୋଇଲାଣି ପରା ଡେରି ,
ଦେଖିନେବେ ଯଦି ସଖୀମାନେ ମୋତେ
ଏଇକ୍ଷଣି ଯିବେ ଘେରି ।
ପରିହାସ ଛଳେ କେତେ କେତେ କଥା
କହିବେ ସେ ଜଣ ଜଣ ,
ମୁହଁ ପୋତି ଖାଲି ଶୁଣିବି ମୁଁ ସିନା
ଉତ୍ତର ବା ଦେବି କ'ଣ !
ବାଟରେ ଘାଟରେ ଗାଧୁଆ ତୁଠରେ
କହିବେ ମରମ ବାଣୀ ,
ତୁମ ମୋ ଭିତରେ ଯେଉଁ ଭାବ ଅଛି
ଆନ ଲୋକ ଯିବେ ଜାଣି ।
ଯିବାଲାଗି ତେଣୁ ତରତର ହୁଏ
ଧରିବନି ମୋର ଦୋଷ ,
ସୁଯୋଗ ମିଳିଲେ ସଅଳ ମିଳିବା
ବହିବନି ଜମା ରୋଷ ।।
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।