ଭଗ୍ନ କୋଣାର୍କ
ଭଗ୍ନ କୋଣାର୍କ
ଚିତ୍ରୋତ୍ପଳା ଆଜି ବାହୁନି କାନ୍ଦୁଛି
ମୁହାଣ ନିକଟେ ତା'ର ,
ନୀଳ ସାଗରର ତରଙ୍ଗ ଫେନରେ
ହଜିଛି ଅତୀତ ଯା'ର ।
ଅତୀତ ପୃଷ୍ଠା ରେ ଇତିହାସ ହୋଇ
ରହିଗଲା ମୋର ନାମ,
ହଜିଗଲା ଚିରସ୍ରୋତା ଚିତ୍ରୋତ୍ପଳା
ଶୁଷ୍କ ଆଜି ତା ମୁହାଣ ।
ଗଢା ହେଲା ତୀରେ ବଡ଼ କୀର୍ତ୍ତିରାଜି
ନିଖୁଣ ସ୍ଥାପତ୍ୟ କଳା,
ବାରଶ ସ୍ଥପତି ନିହାଣ ମୂନରେ
ଖୋଜିଥିଲେ ଚିତ୍ର କଳା ।
ମୋ ବୁକୁରେ ବହି ଆଣିଥିଲେ ଶିଳା
କେଉଁ ଦୂର ପ୍ରାନ୍ତର ରୁ ,
ମୁଗୁନି ପଥରେ ସୁନ୍ଦର ଭାସ୍କର୍ଯ୍ୟ
ଲିଭୁନି ମାନସପଟ୍ଟରୁ ।
ଭଗ୍ନ ସେ କୋଣାର୍କ ନଗ୍ନ ତା ଭାସ୍କର୍ଯ୍ୟ
ସୌନ୍ଦର୍ଯ୍ୟ ହଜିଛି ଆଜି,
ଲୌହ ର ବେଡିରେ ଆବଦ୍ଧ ଶରୀର
ଲୁଚିଯାଇଛି ସେ କୀର୍ତ୍ତିରାଜି ।
କାରୁକାର୍ଯ୍ୟ ଲାଗି ଦେଶ ବିଦେଶ ରୁ
ଛୁଟୁଥିଲେ ପର୍ଯ୍ୟଟକ ,
ଜରାଜୀର୍ଣ୍ଣ ଆଜି ତା କିରତିରାଜି
ମର୍ମାହତ ପର୍ଯ୍ୟବେକ୍ଷକ ।
ଭାଙ୍ଗିଲା କୋଣାର୍କ ଲୁପ୍ତ ଚିତ୍ରୋତ୍ପଳା
ହସେ କଂକ୍ରିଟ ଜଙ୍ଗଲ ,
ବିପଣି ମାଳାରେ ଶୋଭିତ ମୋ ବକ୍ଷ
ଲୁପ୍ତ ସେ ଗୁଡୁକଙ୍କ ଖେଳ ।
