ଭଗବାନ ଶ୍ରୀକୃଷ୍ଣଙ୍କ ରାଧାବେଶ -୨
ଭଗବାନ ଶ୍ରୀକୃଷ୍ଣଙ୍କ ରାଧାବେଶ -୨
ଜଳ ବିନା ମୀନ ଯେହ୍ନେ ରହିନପାରଇ କ୍ଷଣେ
ତେସନେ ତୁମ୍ଭରି ବିନା ମୁଁ ନରହଇ,
ଶୁଣଗୋ ଚତୁରୀ ରାଧା ତୋ ବିନା ମୁଁ ଅଟେ ଅଧା
ଆତ୍ମା ବିନା ଶାରୀରିକ ମୃତ ନୁହଁଇ ।
ନିର୍ଜିବ ଯେ ତୁମ୍ଭେ ମୋ ବିନା,
ସେହି କାରଣେ ଅଦୃଶ୍ୟ ମୁଁ ତୁମ ବିନା । ।୭। ।
ରାଧା କହନ୍ତି ହେ ହରି କାହିଁ ଭଣ୍ଡ ଛଳ କରି
ଜାଣିଛି ମୁଁ ତୁମ୍ଭ ମାୟା ହେ ଭାବଗ୍ରାହୀ,
ମାୟାରେ ଭ୍ରମୁଛ ମୋତେ ଅବୁଝା କରୁଛ ସତେ
ଯଦି ଆପଣ ମୁଁ ତେବେ ବେଦନା କାହିଁ ।
ତୁମ୍ଭେ କାହିଁ ନ ଭୋଗ କ୍ଲେଶ ,
ମୁଁ ଖାଲି ଭୋଗୁଛି କ୍ଲେଶ ହେହୃଷିକେଶ ।।୮।।
ଆନନ୍ଦେ କହନ୍ତି ଢ଼ଳି ଶୁଣ ଗୋ ବୃଷ ଦୁଲ୍ଲାଲୀ
ଯାହା ସତ୍ୟ ତାହା ପ୍ରକାଶ କରେ ମୁହିଁ,
ଅନନ୍ତ ବିଶ୍ଵ ବ୍ରହ୍ମାଣ୍ଡ ଏହାର ମୁଁ ମୂଳପିଣ୍ଡ
ଉତ୍ପତ୍ତିସ୍ଥିତି ପ୍ରଳୟ ମୁଁ ଏକା ସେହି ।
ଯୋଗୀ ଭୋଗୀ ମୁହିଁ ଅଟଇ,
ପୁଣି ମାତା ପୁଣି ପିତା ପୁତ୍ର ହୁଅଇ । ।୯।।
ରାଧା କହନ୍ତି ବଚନ ଶୁଣହେ ମନ ମୋହନ
ଶବ୍ଦ ଜାଳେ ଛନ୍ଦି ମୋତେ କରୁଛ ଭ୍ରମ,<
/p>
କହିଣ ଚାଟୁବଚନ ମୋହିଣ ନେଉଛ ମନ
ଚିତ୍ତ-ମତ୍ତି ରୁଦ୍ଧ ହୁଏ ହେଘନଶ୍ୟାମ ।
ତୁମ୍ଭ ବାକ୍ୟେ ପ୍ରିତ ନୁହଁଇ ,
କି କାରଣେ ହୃଦ ମୋର ହୁଅଇ ଦହି ।।୧୦।।
କହୁଛନ୍ତି ବନମାଳୀ ଶୁଣ ଗୋ ରାଜ ଦୁଲାଳୀ
ତୁମେ ମୋ ଅାଧେୟ ମୁହିଁ ତୁମ୍ଭ ଆଧାର,
ଫଳର ଫୁଲ ଆଧାର ଫୁଲର ପତ୍ର ଆଧାର
ପତ୍ରର ଆଧାର ବୃକ୍ଷ ଅଟେସତ୍ଵର ।
ବୃକ୍ଷର ଆଧାର ବୀଜ ଯେହ୍ନେ ,
ସେହିମତେ ମୁହିଁ ତୁମ୍ଭେ ନୁହଁଇ ଭିନ୍ନେ । ।୧୧। ।
ଏହି ସାରା ବ୍ରହ୍ମାଣ୍ଡର ଅଟଇ ମୁହିଁ ଆଧାର
କିନ୍ତୁ ମୋ ଆଧାର ତୁମ୍ଭେ ଅଟଗୋ ରାଇ ,
ତୁମ୍ଭଙ୍କୁ କି ଜଣା ନାହିଁ ମୋ କଥା ପ୍ରତେ ନଯାଇ
ବୃଥାଟାରେ ନବୁଝିଣ କୁହ କିମ୍ପାଇ ।
ନ ଭାଷେ ମୁଁ କେବେ ଅସତ୍ୟ,
ବିଶ୍ୱାସ ରଖଗୋ ରାଧେ କହୁଛି ସତ୍ୟ । ।୧୨। ।