ସମୟ
ସମୟ
ସମୟର ଧାରେ ଚାଲୁଥିବି ବଂଧୁ
ସମୟର ପଦ ବାରି,
ସୁଖି ହେଉଥିବି ସମୟ ସୁଅରେ
ସମୟକୁ ଅନୁସରି,
ସମୟ ତ ବଳବାନ,
ସିଏ କାଳଚକ୍ର କାଳଠାରୁ ବଡ଼
ସବୁଠାରୁ ବଳିୟାନ |୧|
ଅପେକ୍ଷା କରେନା ସମୟ କାହାକୁ
ସିଏ ତ ସବୁରି ଆଗରେ,
ଖେଳ ଖେଳୁଥାଏ ସବୁରି ଜୀବନେ
ବାୟୁ ହୋଇ ଜୀବ ଭିତରେ,
ଆରମ୍ଭ ନାହିଁ କି ଅନ୍ତ,
ଦିନ ପରେ ରାତି ରାତି ପରେ ଦିନ
ସମୟଟା ବଳବନ୍ତ |୨|
ସକାଳ ସୂରୁଯ ବଢ଼ି କ୍ରମେ ହୁଏ
ତେଜିୟାନ ମଧ୍ୟାହ୍ନରେ,
ସମୟ କ୍ରମରେ ତେଜ କମିଯାଇ
ବସେ ପଶ୍ଚିମାକାଶରେ,
ରାତ୍ରୀ ଅନ୍ଧକାରେ ଲୁଚେ,
ସମୟ ଲୁଚେନା ଠିକ ଚାଲୁଥାଏ
ପହଞ୍ଚିବ ଯାଇ ଉଚ୍ଚେ |୩|
ବିଷୟା ବିଷରେ ଆଶକ୍ତ ମଣିଷ
ସମୟକୁ ଭୁଲିଯାଏ,
ନିଜ ପରାକ୍ରମ ବୀରତ୍ବ ବଖାଣି
ବଡ଼ିମା ଦେଖାଉଥାଏ,
ଭାରି ଅଭିମାନ ତାର,
ସମୟ ମାନେନା କାହା ଅଭିମାନ
କରିଦିଏ ଚୁରମାର |୪|
ଯେବେ ତୁ ଚିହ୍ନିବୁ ସମୟ ସ୍ରୋତକୁ
ଚିହ୍ନିବୁ ନିଜକୁ ତେବେ,
ଆତ୍ମା ପରମାତ୍ମା ଦର୍ଶନ ଲଭିବୁ
ପରଂବ୍ରହ୍ମ ନିଜ ହୃଦେ,
ପରମାତ୍ମା ଯେ ସମୟ,
ତାର ହାତ ଧରି ଆଗକୁ ଚାଲିଲେ
ତୁଟି ଯିବ ସବୁ ଭୟ |୫|